Categories: ଜାତୀୟ

ଆର୍‌ଏସ୍‌ଏସ୍‌କୁ ଏକବିଂଶ ଶତାବ୍ଦୀର କୌରବ କହିଲେ ରାହୁଲ

ଚଣ୍ଡିଗଡ଼,୧୦।୧: ଭାରତ ଯୋଡ଼ୋ ଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ଆର୍‌ଏସ୍‌ଏସ୍‌ ନାଁ ନ ନେଇ ଏକବିଂଶ ଶତାବ୍ଦୀର କୌରବମାନେ ହାଫ୍‌ ପ୍ୟାଣ୍ଟ ପିନ୍ଧୁଛନ୍ତି ବୋଲି ରାହୁଲ କହିଥିଲେ। ସୋମବାର ସନ୍ଧ୍ୟାରେ ଭାରତ ଯୋଡ଼ୋ ଯାତ୍ରା ହରିୟାଣାର ଅମ୍ବାଲା ଜିଲାରେ ପହଞ୍ଚତ୍ବା ପରେ ରାହୁଲ ଏକ ପଥପ୍ରାନ୍ତ ସଭାରେ ଭାଷଣ ଦେଇ କହିଥିଲେ, ହରିୟାଣା ମହାଭାରତର ଭୂମି। ତେବେ ଏକବିଂଶ ଶତାବ୍ଦୀର କୌରବମାନେ ହାଫ୍‌ପ୍ୟାଣ୍ଟ ପିନ୍ଧି ଲାଠି ଧରି ଶାଖା ଆୟୋଜନ କରୁଛନ୍ତି। ଭାରତର ୨-୩ ଜଣ ଅତି ଧନୀ ବ୍ୟକ୍ତି ଉକ୍ତ କୌରବମାନଙ୍କ ସହ ଅଛନ୍ତି ବୋଲି ରାହୁଲ ଆର୍‌ଏସ୍‌ଏସ୍‌କୁ ଇଙ୍ଗିତ କରି କହିଥିଲେ। ପାଣ୍ଡବମାନେ ବିମୁଦ୍ରୀକରଣ କିମ୍ବା ଭୁଲ୍‌ ଜିଏସ୍‌ଟି ଲାଗୁ କରି ନ ଥିଲେ। କାରଣ ସେମାନେ ତପସ୍ବୀ। ସେମାନେ ଜାଣନ୍ତି ବିମୁଦ୍ରୀକରଣ, ଭୁଲ୍‌ ଜିଏସ୍‌ଟି, କୃଷି ଆଇନ ଦେଶର ତପସ୍ବୀମାନଙ୍କଠାରୁ ଚୋରି କରିବାର ମାର୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାକ୍ଷର କରିଥିବା ଏହିସବୁ ନିଷ୍ପତ୍ତି ପଛରେ ଦେଶର ୨-୩ ଜଣ ବିଲିୟନେୟାର ଅଛନ୍ତି ବୋଲି କଂଗ୍ରେସ ନେତା କହିଥିଲେ। ଲୋକେ ଏହା ବୁଝିପାରନ୍ତି ନାହିଁ। କିନ୍ତୁ ସେତେବେଳର ଲଢ଼େଇ ଓ ବର୍ତ୍ତମାନର ଲଢ଼େଇ ସମାନ। ପାଣ୍ଡବମାନେ ଦେଶରେ ଘୃଣାର ପ୍ରସାର କିମ୍ବା ନିରୀହଙ୍କ ପ୍ରତି କୌଣସି ଅପରାଧ କରୁ ନ ଥିଲେ। ସେମାନଙ୍କ ସହ ସବୁ ଧର୍ମର ଲୋକ ଥିଲେ। ସେହିପରି ଭାରତ ଯୋଡ଼ୋ ଯାତ୍ରାରେ କିଏ କେଉଁଠୁ ଆସିଛନ୍ତି ପଚରାଯାଏ ନାହିଁ। ଏହା ଏକ ପ୍ରେମର ଦୋକାନ। ପାଣ୍ଡବମାନେ ଅନ୍ୟାୟ ବିରୋଧରେ ଛିଡ଼ାହୋଇଥିଲେ। ସେମାନେ ମଧ୍ୟ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଥିଲେ ବୋଲି ରାହୁଲ କହିଛନ୍ତି।

Share