Categories: ଜାତୀୟ

ଗୁଲାମନବୀଙ୍କୁ କ୍ଷମା ମାଗିଲେ ରାହୁଲ

ଶ୍ରୀନଗର,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ପହଞ୍ଚିଛି। ଇତିମଧ୍ୟରେ ରାହୁଲ ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ଯଦି କେବେ ବି ମୁଁ ଗୁଲାମ ନବୀ କିମ୍ବା ଚୌଧୁରୀ ଲାଲ ସିଂହଙ୍କୁ ଦୁଃଖ ପହଞ୍ଚାଇଥାଏ, ତେବେ ତାଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାହୁଲ ଗାନ୍ଧୀ ଜମ୍ମୁରେ ଏକ ଖବରଦାତା ସମ୍ମିଳନୀ କରି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଭାରତ ଯୋଡୋ ଯାତ୍ରା ପାଇଁ ଗୁଲାମ ନବୀଙ୍କୁ କାହିଁକି ନିମନ୍ତ୍ରଣ କରାଯାଇନାହିଁ ବୋଲି ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା। ତେବେ ରାହୁଲ ଏହାର ଉତ୍ତର ରଖିବାକୁ ଯାଇ କହିଛନ୍ତି, ଆଜାଦଙ୍କ ଦଳର ଅଧିକାଂଶ ଲୋକ କଂଗ୍ରେସରେ ସାମିଲ ହୋଇଛନ୍ତି। କେବଳ ସେହି ପାର୍ଶ୍ୱରେ ଗୁଲାମ ନବୀ ହିଁ ରହିଯାଇଛନ୍ତି। ମୁଁ ତାଙ୍କୁ ସମ୍ମାନ କରେ। ଯଦି ତାଙ୍କୁ କୌଣସି ପ୍ରକାର ଆଘାତ ପହଞ୍ଚାଇଥାଏ, ତେବେ ତାଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛି ବୋଲି ରହୁଲ କହିଛନ୍ତି। ସୂଚନା ମୁତାବକ, ନିକଟରେ ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇ ନିଜର ଦଳ ଗଠନ କରିଥିଲେ। କିନ୍ତୁ ଏବେ ତାଙ୍କ ଦଳର ଅଧିକାଂଶ ନେତା କଂଗ୍ରେସରେ ଯୋଗଦେଇଛନ୍ତି।

Share