ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ଦିଗରେ ଦଳ ଆଗକୁ ବଢ଼ୁଛି । ଏହି ପ୍ରକ୍ରିୟାରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରାୟ ୧୩୦ ଜଣ ନେତାଙ୍କ ଇଣ୍ଟରଭ୍ୟୁ ନେଇଛନ୍ତି । ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ।
ସୂଚନା ଅନୁସାରେ, ଆଗାମୀ ଦିନରେ AICC ସ୍ତରରେ କିଛି ବଡ଼ ପରିବର୍ତ୍ତନ କରିବାକୁ କଂଗ୍ରେସ ଯୋଜନା କରୁଛି । ବର୍ତ୍ତମାନର ସଚିବମାନଙ୍କ ମଧ୍ୟରୁ ପ୍ରାୟ ଅଧା ନେତାଙ୍କୁ ଦାୟିତ୍ୱରୁ ହଟାଇ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇପାରେ ।
ଗତ ସପ୍ତାହରେ ପ୍ରାୟ ୧୩୦ ଜଣ ସମ୍ଭାବ୍ୟ ଦାବିଦାରଙ୍କ ସ୍କ୍ରିନିଂ କରାଯାଇଥିଲା। ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ନେତାମାନଙ୍କ ସାଙ୍ଗଠନିକ ଅଭିଜ୍ଞତା, ପୂର୍ବ କାର୍ଯ୍ୟକଳାପ, ମାଟିସ୍ତରରେ ସକ୍ରିୟତା ଓ ନିର୍ବାଚନୀ ପ୍ରଦର୍ଶନ ସମ୍ପର୍କରେ ବିସ୍ତୃତ ଭାବେ ପଚରାଯାଇଥିଲା। ପ୍ରତ୍ୟେକ ନେତାଙ୍କର ଏକ ବିସ୍ତୃତ ଡୋଜିୟର ମଧ୍ୟ ପ୍ରସ୍ତୁତ ଥିଲା। ଯଦି କୌଣସି ଦୁର୍ବଳ ପ୍ରଦର୍ଶନ କରୁଥିବା ରାଜ୍ୟର ଦାୟିତ୍ୱ ଦିଆଯାଏ, ତେବେ ସଂଗଠନକୁ କିପରି ମଜବୁତ କରିବେ, ଆଗାମୀ ନିର୍ବାଚନ ପାଇଁ କି ରଣନୀତି ରହିବ ଏବଂ କର୍ମୀଙ୍କୁ କିପରି ସକ୍ରିୟ କରିବେ—ଏଭଳି ପ୍ରଶ୍ନ ମଧ୍ୟ ପଚରାଯାଇଥିଲା।
ସୂଚନା ଅନୁସାରେ, ମଙ୍ଗଳବାର, ସେପ୍ଟେମ୍ବର ୧୫ରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବର୍ତ୍ତମାନର AICC ସଚିବମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏଥିରେ ସଚିବମାନଙ୍କ ଏପର୍ଯ୍ୟନ୍ତର କାର୍ଯ୍ୟକଳାପ ଓ ପ୍ରଦର୍ଶନର ସମୀକ୍ଷା କରାଯିବ। ନେତାମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଆଧାରରେ ସିଧାସଳଖ ଫିଡ୍ବ୍ୟାକ୍ ମଧ୍ୟ ଦିଆଯାଇପାରେ। ଏହି ବୈଠକ ପରେ କଂଗ୍ରେସ ନୂଆ ସଚିବ ତାଲିକାକୁ ଚୂଡ଼ାନ୍ତ ରୂପ ଦେଇପାରେ। ଦଳରେ ଦୁର୍ବଳ ପ୍ରଦର୍ଶନ କରିଥିବା ଅନେକ ପଦାଧିକାରୀଙ୍କୁ ଦାୟିତ୍ୱରୁ ହଟାଇ ନୂଆ ଚେହେରାଙ୍କୁ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି।
ବର୍ତ୍ତମାନ କଂଗ୍ରେସରେ ୬୪ ଜଣ AICC ସଚିବ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବିଭିନ୍ନ ରାଜ୍ୟର ଦାୟିତ୍ୱ ଦିଆଯାଇଛି। ସେମାନେ ସମ୍ପୃକ୍ତ AICC ମହାସଚିବ କିମ୍ବା ରାଜ୍ୟ ପ୍ରଭାରୀଙ୍କ ସହ ମିଶି କାମ କରନ୍ତି। ରାଜ୍ୟ ସଂଗଠନର କାର୍ଯ୍ୟକଳାପ ତଦାରଖ କରିବା, ସ୍ଥାନୀୟ ସଂଗଠନକୁ ସହଯୋଗ କରିବା ଓ ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ନେବା ସେମାନଙ୍କ ପ୍ରମୁଖ ଦାୟିତ୍ୱ।
ନୂଆ ଦାୟିତ୍ୱ ପାଇଁ ଚୟନ ହେଉଥିବା ନେତାମାନଙ୍କୁ ପ୍ରାୟ ୧୨ରୁ ୧୪ ଜଣିଆ ଗ୍ରୁପ୍ରେ ଇଣ୍ଟରଭ୍ୟୁ କରାଯାଇଥିଲା। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କେ.ସି. ବେଣୁଗୋପାଳ ନେତାମାନଙ୍କ ପୂର୍ବ ସାଙ୍ଗଠନିକ କାର୍ଯ୍ୟ, ଅଭିଜ୍ଞତା ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ପ୍ରଶ୍ନ କରିଥିଲେ। ରିପୋର୍ଟ ଅନୁସାରେ, ଇଣ୍ଟରଭ୍ୟୁ ଆରମ୍ଭରେ ପ୍ରତ୍ୟେକ ନେତାଙ୍କୁ ପ୍ରାୟ ଏକ ମିନିଟ୍ରେ ନିଜର ପରିଚୟ ଦେବାକୁ କୁହାଯାଇଥିଲା। ଏହାପରେ ନିଜ ଦାୟିତ୍ୱ କିପରି ତୁଲାଇଛନ୍ତି, କେଉଁ ନିଷ୍ପତ୍ତି କାହିଁକି ନେଇଥିଲେ, ଦଳ ପାଇଁ କଣ ଅବଦାନ ରହିଛି ଏବଂ କେଉଁ କ୍ଷେତ୍ରରେ ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି—ସେନେଇ ପ୍ରଶ୍ନ କରାଯାଇଥିଲା। ଏବେ ଏହି ସମସ୍ତ ମୂଲ୍ୟାୟନ ପରେ କଂଗ୍ରେସ ଖୁବଶୀଘ୍ର AICC ସଚିବଙ୍କ ନୂଆ ଟିମ୍ ଘୋଷଣା କରିପାରେ ।