Categories: ଜାତୀୟ

ସାଇକେଲରେ ପାର୍ଲାମେଣ୍ଟ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନରୁ ପେଗାସସ୍‌ ଗୁପ୍ତଚର ବିବାଦ, କୃଷି ଆଇନ ଓ ମହଙ୍ଗା ଦର ପ୍ରସଙ୍ଗକୁ ନେଇ ଉତ୍ତେଜନା ଜାରି ରହିଛି। ପ୍ରତିଦିନ ବିରୋଧୀଙ୍କ ହୋହାଲ୍ଲା ଯୋଗୁ ସଦନ ଠିକ୍‌ ସେ ଚାଲିପାରୁନି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମୋଦି ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ମଙ୍ଗଳବାର ସକାଳେ ସାମ୍ବିଧାନିକ କ୍ଲବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆହ୍ବାନକ୍ରମେ ସବୁ ବିରୋଧୀ ଜଳଖିଆରେ ଏକାଠି ହୋଇଥିଲେ। ଏହି ବୈଠକରେ ସମସ୍ତ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ହେଲେ ସକାଳ ଜଳଖିଆରେ ଏଏପି ଓ ବିଏସ୍‌ପି ଦଳ ଯୋଗଦେଇ ନ ଥିବା ଜଣାପଡ଼ିଛି। ଉକ୍ତ ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଆହ୍ବାନକ୍ରମେ ବିରୋଧୀ ଏକଜୁଟ ହୋଇ ସାଇକେଲରେ ପାର୍ଲାମେଣ୍ଟ ପହଞ୍ଚିଥିବା ଦେଖିବାକୁ ମିଳିଛି। ଦେଶରେ ପେଟ୍ରୋଲ ଓ ଡିଜେଲର ମହଙ୍ଗା ଦରକୁ ନେଇ ରାହୁଲ ଗାନ୍ଧୀ ଓ ବିରୋଧୀ ଦଳ ଏକାସାଙ୍ଗରେ ସ୍ବର ଉଠାଇଛନ୍ତି। ଏହାର ପ୍ରତିବାଦରେ ରାହୁଲ ଓ ଅନେକ ବିରୋଧୀ ନେତା ସାଇକେଲରେ ପାର୍ଲାମେଣ୍ଟ ପହଞ୍ଚିଥିଲେ।

Share