Categories: ଜାତୀୟ

ଭାଜପା କାର୍ଯ୍ୟକ୍ରମରେ ସାମିଲ ହେବେ ରାହୁଲ ଦ୍ରାବିଡ

ଶିମ୍‌ଲା,୧୦।୫: ଚଳିତ ବର୍ଷ ଶେଷ ସୁଦ୍ଧା ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ, ଆସନ୍ତା ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ମଶାଳାରେ ଭାଜପା ଯୁବା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ କମିଟି ଆୟୋଜିତ ହେବ। ଏଥିରେ ଦଳର ଜାତୀୟ ନେତୃତ୍ୱ ବ୍ୟତୀତ ହିମାଚଳ ପ୍ରଦେଶର ବହୁ ବଡ ନେତା ମଧ୍ୟ ସାମିଲ ହେବେ। ଏହା ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଧର୍ମଶାଳା ବିଧାୟକ ବିଶାଲ ନାହେରିଆ କହିଛନ୍ତି। ସେ ତାଙ୍କ ସଫଳତା ବିଷୟରେ ଯୁବକମାନଙ୍କୁ ପ୍ରେରିତ କରିବେ।
ରାହୁଲ ଦ୍ରାବିଡଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରି ଭାରତୀୟ ଜନତା ପାର୍ଟି ହିମାଚଳ ଏବଂ କର୍ନାଟକ ବିଧାନସଭା ନିର୍ବାଚନରେ ଯୁବକମାନଙ୍କୁ ସିଧାସଳଖ ଆକର୍ଷିତ କରିବାକୁ ଚାହୁଁଛି। ତେବେ ରାହୁଲ ଭାଜପାରେ ଯୋଗଦେବେ କି ନାହିଁ ଏହି କଳ୍ପନାଜଳ୍ପନା ମଧ୍ୟ କରାଯାଉଛି।
ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନିର୍ବାଚନ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା ବର୍ଷ କର୍ନାଟକ ବିଧାନସଭାର ୨୨୪ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି।

Share