ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି ଭିନ୍ନ ଅନ୍ଦାଜ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ପ୍ରଥମ ଅନଅଫିସିଆଲ ଦିନିକିଆ ମ୍ୟାଚ୍ରେ ଅନ୍ବୟ ମାତ୍ର ୧୮ ବଲରେ ୩୮ ରନର ବିସ୍ଫୋରକ ପାଳି ଖେଳିଛନ୍ତି।
ବର୍ଷା ଯୋଗୁ ମ୍ୟାଚକୁ ୨୦ ଓଭରକୁ ସୀମିତ କରାଯାଇଥିଲା। ଭାରତୀୟ ଦଳର ପାଳିରେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଅନୱୟ। ଦଳକୁ ଦ୍ରୁତ ରନର ଆବଶ୍ୟକତା ଥିବା ବେଳେ ସେ ପଡ଼ିଆକୁ ଆସିବା ମାତ୍ରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୧୮ଟି ବଲରେ ସେ ୩୮ ରନ କରିଥିବା ବେଳେ ୨ଟି ଚୌକା ଓ ୩ଟି ଛକା ମାରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ ରହିଥିଲା ୨୧୧.୧୧।
ଅନ୍ୟପକ୍ଷରେ, ଭାରତ ୮୮ ରନରେ ୪ଟି ଉଇକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଯଶବର୍ଦ୍ଧନ ଚୌହାନ ଓ ଅନୱୟ ଦ୍ରାବିଡ଼ ମିଶି ଭାରତୀୟ ପାଳିକୁ ସମ୍ଭାଳିଥିଲେ। ଉଭୟେ ପଞ୍ଚମ ଉଇକେଟ୍ ପାଇଁ ୬୯ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ। ଯଶବର୍ଦ୍ଧନ ମଧ୍ୟ ଦମଦାର ବ୍ୟାଟିଂ କରି ୩୪ ବଲରେ ୫୪ ରନ କରିଥିଲେ। ତାଙ୍କ ପାଳିରେ ୫ଟି ଚୌକା ଓ ୨ଟି ଛକା ସାମିଲ ଥିଲା।
ବର୍ଷା ଯୋଗୁ ମ୍ୟାଚକୁ ୨୦-୨୦ ଓଭରରେ ସୀମିତ କରାଯାଇଥିଲା। ଟସ ଜିତି ଅଷ୍ଟ୍ରେଲିଆ ଅଣ୍ଡର-୧୯ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା।
ଭାରତର ବଡ଼ ସ୍କୋର ପଛରେ ଯଶବର୍ଦ୍ଧନ ଚୌହାନଙ୍କ ଅର୍ଦ୍ଧଶତକ ସହ ଅନୱୟ ଦ୍ରାବିଡ଼ଙ୍କ ଦ୍ରୁତ ୩୮ ରନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ଏହା ସହ ଆର୍ଯ୍ୟବୀର ସେହୱାଗ ମଧ୍ୟ ୨୬ ବଲରୁ ୨୮ ରନ କରିଥିଲେ।