Categories: ଖେଳ

ବିସିସିଆଇକୁ ଦିଲୀପ ଭେଙ୍ଗସରକରଙ୍କ ପରାମର୍ଶ

ମୁମ୍ବାଇ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ ଟେଷ୍ଟରେ ଭାରାତୀୟ ଦଳ ମାତ୍ର ୩୬ ରନ୍‌ରେ ଅଲଆଉଟ୍‌ ହେବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏକ ପରାମର୍ଶ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ଭେଙ୍ଗସରକର। ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ରାହୁଲ ଡ୍ରାଭିଡ୍‌ଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଅ। ଅଷ୍ଟ୍ରେଲିଆରେ ବ୍ୟାଟ୍ସମ୍ୟାନଙ୍କୁ କେଉଁ ଭଳି ଖେଳାଳିବାକୁ ପଡ଼ିବ, ତାହା ଡ୍ରାଭିଡ୍‌ଙ୍କୁ ଭଲ ଭାବେ ଜଣା। ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନଙ୍କ ପାଇଁ ଡ୍ରାଭିଡ୍‌ଙ୍କ ଠାରୁ ଆଉ କେହି ଭଲ ଗାଇଡ୍‌ ହୋଇପାରିବେ ନାହିଁ। ତାଙ୍କ ଉପସ୍ଥିତି ନେଟ୍ସରେ ଭାରତୀୟ ଦଳକୁ ସହାୟ ହେବ ବୋଲି ଭେଙ୍ଗସରକର କହିଛନ୍ତି।

ଭାରତୀୟ ଦଳକୁ ଅଧିନାୟକ ବିରାଟ କୋହଲିଙ୍କ ବିନା ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ୩ ଟେଷ୍ଟ ମ୍ୟାଚ୍‌ ଖେଳିବାର ଅଛି। ଏଭଳି ପରିସ୍ଥିତିରେ ଡ୍ରାଭିଡ୍‌ଙ୍କ ଅଭିଜ୍ଞତାକୁ ସିନିୟର ଖେଳାଳିଙ୍କ ଉନ୍ନତି ଦିଗରେ ବ୍ୟବହାର କରାଯିବା ଉଚିତ। ଡ୍ରାଭିଡ୍‌ ଅଷ୍ଟ୍ରେଲିଆ ଗସ୍ତ କଲେ ବାଧ୍ୟତାମୂଳକ ୨ ସପ୍ତାହ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ଏହାପରେ ମଧ୍ୟ ଅନ୍ତିମ ଦୁଇ ମ୍ୟାଚ୍‌ ପାଇଁ ଉପଲବ୍ଧ ହୋଇପାରିବେ ପୂର୍ବତନ ଭାରତୀୟ ଅଧିନାୟକ। ତୃତୀୟ ଟେଷ୍ଟ ଜାନୁୟାରୀ ୭ ତାରିଖରୁ ସିଡ୍‌ନୀଠାରେ ଆରମ୍ଭ ହେବ।

ଉଲ୍ଲେଖଯୋଗ୍ୟ, ଡ୍ରାଭିଡ୍‌ ୨୦୦୩ ଅଷ୍ଟ୍ରେଲିଆ ଗସ୍ତରେ ଏକ ଦ୍ୱିଶତକ ଓ ୩ ଅର୍ଦ୍ଧଶତକ ସହ ସର୍ବାଧିକ ୬୧୯ ରନ୍‌ କରିଥିଲେ। ମୋଟ ଉପରେ ଅଷ୍ଟ୍ରେଲିଆରେ ୧୬ ଟେଷ୍ଟ ଖେଳିଥିବା ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ୪୧.୧୬ ଆଭରେଜରେ ୧୧୬୬ ରନ୍‌ କରିଛନ୍ତି।

Share