Categories: ଖେଳ

‘କୌଣସି ଦ୍ୱନ୍ଦ୍ୱ ନାହିଁ କି ଚିନ୍ତା ନାହିଁ’; କେ.ଏଲ୍‌. ରାହୁଲଙ୍କୁ ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୧।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିଆସୁଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ନେଇଥିବାରୁ ଦଳ ସେମିଫାଇନାଲରେ ଖେଳିବ ବୋଲି ଆଶା କରାଯାଉଛି। ଏମିତିରେ ବାଲାଂଦେଶ ବିପକ୍ଷରେ ନଭେମ୍ବର ୨ରେ ଦଳ ଚତୁର୍ଥ ମ୍ୟାଚ୍‌ ଖେଳିବ। ଏଥିରେ ବିଜେତା ହେଲେ ଦଳର ସେମିଫାଇନାଲରେ ଖେଳିବା ଏକପ୍ରକାର ସୁନିଶ୍ଚିତ ହୋଇଯିବ। ହେଲେ ଏହି ମିଶନ ଲାଗି ଚିନ୍ତାର କାରଣ ପାଲଟିଛି କ୍ରିକେଟର କେ.ଏଲ୍‌. ରାହୁଲଙ୍କ ଫର୍ମ।

ଭାରତ ଖେଳିଥିବା ତିନୋଟି ଯାକ ମ୍ୟାଚ୍‌ରେ କେ.ଏଲ୍‌.ଙ୍କ ପ୍ରଦର୍ଶନ ଫ୍ଲପ ରହିଛି। ଏମିତିରେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଖେଳିବାର ସୁଯୋଗ ଦିଆଯାଉ ବୋଲି ଦାବି ହେଉଛି। ଏସବୁ ମଧ୍ୟରେ ବାଲାଂଦେଶ ବିପକ୍ଷ ମୁକାବିଲା ପୂର୍ବରୁ ଦଳର ପ୍ରମୁଖ କୋଚ୍‌ ରାହୁଲ ଦ୍ରାବିଡ କେ.ଏଲ୍‌.ଙ୍କୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି।

ଦ୍ରାବିଡ ସ୍ପଷ୍ଟ କରିଛନ୍ତି ଯେ, ଟିମ୍‌ ମ୍ୟାନେଜ୍‌ମେଣ୍ଟର ସମର୍ଥନ କେ.ଏଲ୍‌.ଙ୍କୁ ରହିଛି। ଏମିତିରେ ସେ ଖେଳିବା ନେଇ ଅନିଶ୍ଚିତତା ନାହିଁ। ରୋହିତ ଆଉ ମୋ’ ଭିତରେ କିଏ ଓପନିଂ କରିବ ତାହାକୁ ନେଇ କନ୍‌ଫ୍ୟୁଜନ ନାହିଁ। କେ.ଏଲ୍‌. କିଭଳି ଖେଳିପାରିବେ ଆମେ ଜାଣୁ। ସେ ଜଣେ ପ୍ରଭାବଶାଳୀ ଖେଳାଳି। ସେ ପୁଣିଥରେ ନିଜ ଫର୍ମକୁ ଫେରିବେ ବୋଲି ଆମର ବିଶ୍ୱାସ ରହିଛି। ଏଭଳି ଅବସ୍ଥା ସାରା ବିଶ୍ୱର ଓପନର୍‌ଙ୍କ ପାଇଁ ଚିନ୍ତାର ବିଷୟ ରହିଆସିଛି। ଏବେ ଯେଉଁ ସ୍ଥିତି ରହିଛି ଆମେ ସମୟ ନେବୁ। ଏଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ତେବେ ରାହୁଲଙ୍କ କଥାରୁ ବାଲାଂଦେଶ ବିପକ୍ଷରେ କେ.ଏଲ୍‌. ଓପନିଂ କରିବା ସ୍ପଷ୍ଟ ହୋଇଛି। ଅର୍ଥାତ ଦଳ ଏହାର ଏକାଦଶରେ କୌଣସି ପରିବର୍ତ୍ତନ କରିବ ନାହିଁ।

Share