Categories: HomeHome LeftTrending

ମାଲିକ ଭଳି ବ୍ୟବହାର କରୁଛନ୍ତି ରାହୁଲ ଦ୍ରାବିଡ଼…ଲଗାତର ୫ ମ୍ୟାଚ୍‌ ହାରିବା ପରେ କୋଚ ଦେଲେ ବଡ଼ ବୟାନ୍‌

ନୂଆଦିଲ୍ଲୀ,୧୧।୯: ୟୁରୋପିଆନ ଟି-୨୦ ପ୍ରିମିୟର ଲିଗ (ETPL) ରେ ରାହୁଲ ଦ୍ରାବିଡ଼ଙ୍କ ଦଳ ‘ଡବ୍ଲିନ ଗାର୍ଡିଆନ୍ସ’ର ଆରମ୍ଭ ଭଲ ହୋଇ ନ ଥିଲା। ଯଦିଓ ଗତ ବୁଧବାର ଡବ୍ଲିନ ଦଳ ଲିଗ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଥିଲା। ଏହା ପୂର୍ବରୁ ସେମାନେ କ୍ରମାଗତ ଭାବେ ପାଞ୍ଚଟି ମ୍ୟାଚ ହାରିଯାଇଥିଲେ। ଦଳର ମାଲିକ ଭାବରେ ରାହୁଲ ଦ୍ରାବିଡ଼ ଏହି କ୍ରମାଗତ ପରାଜୟକୁ କିପରି ଗ୍ରହଣ କରିଥିଲେ, ସେ ସମ୍ପର୍କରେ ଦଳର କୋଚ ବିକ୍ରମ ରାଠୋର ସୂଚନା ଦେଇଛନ୍ତି। ରାଠୋର କହିଛନ୍ତି ଯେ, ପରାଜୟ ସତ୍ତ୍ୱେ ଦ୍ରାବିଡ଼ ଦଳକୁ ସମ୍ପୂର୍ଣ୍ଣ ସମର୍ଥନ ଜାରି ରଖିଛନ୍ତି।

ରବିଚନ୍ଦ୍ରନ ଅଶ୍ୱିନ ଡବ୍ଲିନ ଗାର୍ଡିଆନ୍ସର ଅଧିନାୟକତ୍ୱ କରୁଛନ୍ତି ଏବଂ ଲିଗ ପର୍ଯ୍ୟାୟରେ ଦଳର ଆହୁରି ଚାରୋଟି ମ୍ୟାଚ ବାକି ଅଛି। ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚ ମଧ୍ୟରୁ ମାତ୍ର ଗୋଟିଏ ବିଜୟ ସହ ଦଳ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି।

ଡବ୍ଲିନ ଗାର୍ଡିଆନ୍ସର କୋଚ ବିକ୍ରମ ରାଠୋର କହିଛନ୍ତି, ରାହୁଲ ଜଣେ ମାଲିକ ଭଳି ଆଚରଣ କରୁଛନ୍ତି। ସେ ଦଳର ଦୈନନ୍ଦିନ କାର୍ଯ୍ୟକଳାପରେ ଅତ୍ୟଧିକ ହସ୍ତକ୍ଷେପ କରୁନାହାନ୍ତି, ଯାହା ଏକ ଭଲ କଥା। ଜଣେ କୋଚ ଭାବରେ ତାଙ୍କର ଅଭିଜ୍ଞତାକୁ ଦେଖିଲେ, ଦଳ ସହିତ ତାଙ୍କର ଉପସ୍ଥିତି ହିଁ ଏକ ସକାରାତ୍ମକ ବିଷୟ। ଏକ ଦଳ କିପରି କାର୍ଯ୍ୟ କରେ ଏବଂ ଫଳାଫଳି କ’ଣ, ତାହା ସେ ଭଲ ଭାବରେ ବୁଝନ୍ତି।

କୋଚ ଏହା ମଧ୍ୟ କହିଛନ୍ତି ଯେ, ଟୁର୍ନାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ ଗୋଟିଏ ବି ମ୍ୟାଚ ଜିତିପାରି ନ ଥିଲା। କିନ୍ତୁ ରାହୁଲ ଦ୍ରାବିଡ଼ ଦଳକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇଥିଲେ। ETPLରେ ଡବ୍ଲିନ ଗାର୍ଡିଆନ୍ସର ପ୍ରଥମ ବିଜୟ ବେଲଫାଷ୍ଟ ୱୁଲ୍ଭସ ବିପକ୍ଷରେ ଆସିଥିଲା।

କୋଚ ବିକ୍ରମ ରାଠୋର କେବଳ ରାହୁଲ ଦ୍ରାବିଡ଼ ନୁହେଁ, ବରଂ ଦଳର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଅଶ୍ୱିନ ବର୍ତ୍ତମାନ ‘ଡବ୍ଲିନ ଗାର୍ଡିଆନ୍ସ’ର ଅଧିନାୟକତ୍ୱ କରୁଛନ୍ତି। ରାହୁଲ ଦ୍ରାବିଡ ଡବ୍ଲିନ ଗାର୍ଡିଆନ ଟିମ୍‌ର ସହଭାଗୀ ଅଛନ୍ତି।

 

Dharitri – Odisha’s No.1 Odia Daily

 

Share