ନୂଆଦିଲ୍ଲୀ,୧୮ା୪: ଯାଦୁକରଙ୍କ ଟ୍ରିକ୍ (କୌଶଳ) ଆଉ ପୂର୍ବଭଳି କାମ କରୁନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଲୋକ ସଭାରେ ମହିଳା ସଂରକ୍ଷଣ ଆଇନରେ ସଂଶୋଧନ ଉପରେ ବିତର୍କ ଜାରି ରହିଥିବାବେଳେ ରାହୁଲ ନିଜ ବକ୍ତବ୍ୟ ରଖି ଏପରି କହିଛନ୍ତି। ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହନ ଦେଉଛୁ ବୋଲି ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇ ବିରୋଧୀ ଦଳ ନେତା କହିଥିଲେ, ମ୍ୟାଜିସିଆନ୍ଙ୍କ ଯାଦୁ ଆଇ କାମ କରୁନାହିଁ। ସେ ନିଜ ଟ୍ରିକ୍ ଭୁଲିଗଲେଣି। ଯୋଗାଯୋଗ, ପ୍ରତିଶ୍ରୁତି ଓ ସ୍ଲୋଗାନକୁ ନେଇ ପୂର୍ବର ରଣନୀତି ପ୍ରଭାବ ହରାଇବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ। ରାହୁଲଙ୍କ ଏପରି ମନ୍ତବ୍ୟ ଗୃହରେ ଉପସ୍ଥିତ ବିରୋଧୀ ସଦସ୍ୟଙ୍କୁ ଆମୋଦିତ କରିଥିବାବେଳେ ଶାସକ ପକ୍ଷ ଆପତ୍ତି ଉଠାଇଥିଲେ। ସଂସଦରେ ଏହା ଝଡ଼ ସୃଷ୍ଟି କରିଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ରାହୁଲଙ୍କ ମନ୍ତବ୍ୟକୁ ଯେତେ ନିନ୍ଦା କଲେ ମଧ୍ୟ ତାହା କମ୍ ପଡ଼ିବ। ଏହା ଦେଶବାସୀଙ୍କ ପ୍ରତି ଅପମାନ। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ମଧ୍ୟ ରାହୁଲଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଥିଲେ।