ନୂଆଦିଲ୍ଲୀ,୧୭ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଲିଖିତ ଜୀବନୀ ପୁସ୍ତକ ‘ବିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍’ର ଆନୁଷ୍ଠାନିକ ଉନ୍ମୋଚନ ସୋମବାର ନୂଆଦିଲ୍ଲୀରେ ହୋଇଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏକମାତ୍ର ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଥମ ଧାଡ଼ିରେ ରାହୁଲ ଓ ଖାର୍ଗେଙ୍କ ପାଖରେ ବସିଥିବା ଦେଖାଯାଇଥିଲା। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ପ୍ରଥମ ଧାଡ଼ିରେ ସୋନିଆଙ୍କ ପାଖ ଆସନରେ ବସିଥିବାବେଳେ କଂଗ୍ରେସ ଓ ସହଯୋଗୀ ଦଳ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିବା ଦେଖାଯାଇଥିଲା। ତେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା କ୍ୟାପଟେନ୍ ଅମିରିନ୍ଦର ସିଂ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି।
ପୁସ୍ତକ ଉନ୍ମୋଚନ ଅବସରରେ ମା’ ସୋନିଆଙ୍କ ବିଷୟରେ କହିବା ସମୟରେ ରାହୁଲ ଭାବବିହ୍ବଳ ହୋଇଯାଇଥିଲେ। ବହୁବର୍ଷ ଧରି ମା’ ସାମ୍ନା କରିଥିବା ବ୍ୟକ୍ତିଗତ ଦୁଃଖଦ ଘଟଣା, ତାଙ୍କର ସାହସ ଓ ଧୈର୍ଯ୍ୟକୁ ରାହୁଲ ମନେ ପକାଇଥିଲେ। ସୋନିଆ ତାଙ୍କ ଜୀବନରେ ବହୁ କଠିନ ସ୍ଥିତି ଦେଇ ଗତି କରିଥିଲେ ମଧ୍ୟ କେବେ ତାଙ୍କ ମନୋବଳ ଭାଙ୍ଗିବାକୁ ଦେଇ ନ ଥିଲେ। ସେ କେବେ ଭୟଭୀତ ହେବା ବା ପଛଘୁଞ୍ଚା ଦେବା ଦେଖିନାହାନ୍ତି ବୋଲି ରାହୁଲ କହିଛନ୍ତି। ସୋନିଆ ୪ ଥର କ୍ୟାନ୍ସରରୁ ସୁସ୍ଥ ହୋଇଛନ୍ତି। ସେ ନିଜର ସ୍ବାସ୍ଥ୍ୟ ସମସ୍ୟାର ଗମ୍ଭୀରତାକୁ କମ୍ ଦେଖାଉଥିଲେ। ସୋନିଆ ଯେଭଳି ଭାବେ ତାଙ୍କ ଜୀବନର ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିଛନ୍ତି, ବାପା ରାଜୀବ ଗାନ୍ଧୀ ଗର୍ବିତ ହୋଇଥାନ୍ତେ ବୋଲି ରାହୁଲ ବିଶ୍ୱାସ କରୁଥିବା କହିଛନ୍ତି।