Categories: ଜାତୀୟ

ସଂସଦର ସମୟ ନଷ୍ଟ ନ କରି ପେଗାସସ୍‌ ଉପରେ ଆଲୋଚନା କରିବାକୁ କହିଲେ ରାହୁଲ…

ନୂଆଦିଲ୍ଲୀ,୨୯।୭: କଂଗ୍ରେସ ପକ୍ଷରୁ ଦରବୃଦ୍ଧି, କୃଷି ଆଇନ ନେଇ ସୃଷ୍ଟି ହୋଇଥିବା ଚାଷୀ ସମସ୍ୟା ଏବଂ ପେଗାସସ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଜାରି ରହିଛି। କେନ୍ଦ୍ର ସରକାର ବିରୋଧୀ ଦଳର କାର୍ଯ୍ୟକୁ ଅନୁମତି ଦେଉ ନ ଥିବା ଗୁରୁବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ସଂସଦର ସମୟ ନଷ୍ଟ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ମୁଦ୍ରାସ୍ଫୀତି, କୃଷକ ସମସ୍ୟା ଏବଂ ପେଗାସସ୍‌ ଉପରେ ଆଲୋଚନା ଶୀଘ୍ର କରାଯିବା ଲାଗି ରାହୁଲ ଟୁଇଟ୍‌ କରି ଦାବି କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଲୋକ ସଭା ଏବଂ ରାଜ୍ୟ ସଭା ସଦସ୍ୟମାନେ ଦେଶର ସାଧାରଣ ଜନତାଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ହେଉଛି ଗଣତନ୍ତ୍ରର ମୂଳଦୁଆ। ଜାତୀୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରାଯିବା ଅପରିହାର୍ଯ୍ୟ। ମାତ୍ର ମୋଦି ସରକାର ବିରୋଧୀଙ୍କୁ ଏହି କାର୍ଯ୍ୟ କରିବାକୁ ଅନୁମତି ଦେଉ ନାହାଁନ୍ତି। ସରକାରଙ୍କକ ଏଭଳି କାର୍ଯ୍ୟ ଗଣତନ୍ତ୍ର ବିରୋଧୀ ବୋଲି ସେ କହିଛନ୍ତି। ସୂଚନାଯାଗ୍ୟ, ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଗୃହର ସାଧାରଣ କାର୍ଯ୍ୟ ବ୍ୟାହତ ହୋଇଛି। ପେଗାସସ ଗୁପ୍ତଚର ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ହେବା ପରେ ହିଁ ସଂସଦ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।

Share