Categories: ଜାତୀୟ

ଭାରତ ଯୋଡୋ ନ୍ୟାୟ ଯାତ୍ରା ମଞ୍ଚରେ କ୍ଷମା ମାଗିଲେ ରାହୁଲ

ନୂଆଦିଲ୍ଲୀ,୧୪।୧: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ରବିବାର ମଣିପୁରର ଥୋବାଲରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ଆରମ୍ଭ ପୂର୍ବରୁ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ସେ ପ୍ରଥମେ ମଞ୍ଚକୁ ଯାଇ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ କ୍ଷମା ମାଗିଥିଲେ।
ଲୋକଙ୍କ ଆଡକୁ ସୂଚାଇ ରାହୁଲ ଗାନ୍ଧୀ କହିଛନ୍ତି, ଦିଲ୍ଲୀରେ କୁହୁଡ଼ି ହେତୁ ଆମର ବିମାନ ବିଳମ୍ବ ହୋଇଗଲା। ଆମେ ଜାଣୁ ଯେ ଆପଣ ସକାଳୁ ଆମକୁ ଅପେକ୍ଷା କରି ରହିଛନ୍ତି। ଆପଣମାନେ ବିରକ୍ତ ହୋଇଥିଲେ, ତେଣୁ ମୁଁ ଆପଣଙ୍କୁ କ୍ଷମା ମାଗୁଛି।
କଂଗ୍ରେସ ଏମପି ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଟକ୍କର ଦେଇଛନ୍ତି। ସେ କହିଛନ୍ତି, ମଣିପୁରରେ ଭାଇ, ଭଉଣୀ, ମାତାପିତାଙ୍କୁ ହତ୍ୟା କରାଯାଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଆପଣଙ୍କ ଲୁହ ପୋଛିବାକୁ ଆସିନାହାଁନ୍ତି, ଏହା ଲଜ୍ଜାଜନକ ବିଷୟ। ଆମେ କଶ୍ମୀରରୁ କନ୍ୟାକୁମାରୀ ଅଭିମୁଖେ ଯାତ୍ରା କରିଥିଲୁ, ଭାରତକୁ ଏକଜୁଟ କରିବା, ଘୃଣା ଦୂର କରିବା ବିଷୟରେ କହିଥିଲୁ। ଲକ୍ଷ ଲକ୍ଷ ଲୋକଙ୍କ ସହ କଥା ହୋଇ ସେମାନଙ୍କ ଯନ୍ତ୍ରଣା ଶୁଣିଥିଲୁ।
ଭାଜପା ଉପରେ ଅଭିଯୋଗ କରି ସେ କହିଛନ୍ତି ଯେ ମଣିପୁର ଭାଜପା ଏବଂ ଆରଏସଏସ ପାଇଁ ଭାରତର ଏକ ଅଂଶ ନୁହେଁ। ସେ କହିଛନ୍ତି, ମଣିପୁରବାସୀଙ୍କ ଯନ୍ତ୍ରଣା ଆମେ ବୁଝୁଛୁ। ଆମେ ଆପଣଙ୍କୁ ପ୍ରତିଶୃତି ଦେଉଛୁ ଯେ ଆମେ ଏହି ରାଜ୍ୟରେ ଶାନ୍ତି ଆଣିବୁ। ଭରତ ଯୋଡା ଯାତ୍ରାରେ ଆମେ ସକାଳ ୬ଟାରୁ ଆରମ୍ଭ କରି ସନ୍ଧ୍ୟା ୭ ଟା ରେ ଶେଷ କରିଥାଉ। ଆମେ ଅପଣଙ୍କ କଥା ଶୁଣୁ।ଆମେ ଆମର ଚିନ୍ତାଧାରା ବାଣ୍ଟିବାକୁ ଚାହୁଁନାହୁଁ। ତୁମ ସହ ମିଶି ଆମେ ସମଗ୍ର ଭାରତ ଆଗରେ ଭାଇଚାରା ଉପସ୍ଥାପନ କରିବାକୁ ଯାଉଛୁ।

Share