ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ ସଫଳତା ଧୀରେ ଧୀରେ ମିଳିଥାଏ, କିନ୍ତୁ ଏହା ସ୍ଥାୟୀ ହେବାର ଦାବି କରାଯାଏ। ଏହାରି ମଧ୍ୟରେ ଛାୟା ଗ୍ରହ ରାହୁଙ୍କ ମକର ରାଶିରେ ଗୋଚରକୁ ନେଇ ଜ୍ୟୋତିଷ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୨୫ ନଭେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ଜ୍ୟୋତିଷୀୟ ମତ ଅନୁସାରେ, ରାହୁ ଜୁନ ୨୦୨୮ ପର୍ଯ୍ୟନ୍ତ ମକର ରାଶିରେ ରହିପାରନ୍ତି। ଏହି ଗୋଚର କିଛି ରାଶିର ଜାତକଙ୍କ ପାଇଁ ଲାଭଦାୟକ ହୋଇପାରେ ବୋଲି ଜ୍ୟୋତିଷାଚାର୍ଯ୍ୟଙ୍କ ମତକୁ ଆଧାର କରି ରିପୋର୍ଟରେ କୁହାଯାଇଛି।
ଜ୍ୟୋତିଷ ମତ ଅନୁସାରେ ମକରରେ ରାହୁଙ୍କ ଗୋଚର ମେଷ ରାଶିର ଜାତକଙ୍କ ପାଇଁ ଅନୁକୂଳ ହୋଇପାରେ। ଅଟକି ରହିଥିବା କାମ ପୁଣି ଗତି ଧରିପାରେ। କର୍ମକ୍ଷେତ୍ରରେ ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ମିଳିପାରେ। ମନପସନ୍ଦ ଚାକିରି କିମ୍ବା ପସନ୍ଦର ସ୍ଥାନରେ ପଦୋନ୍ନତିର ସୁଯୋଗ ମିଳିପାରେ। ନୂଆ କାମ ଆରମ୍ଭ କରିବାର ଯୋଗ ମଧ୍ୟ ରହିପାରେ।
ସିଂହ ରାଶି ପାଇଁ ରାହୁଙ୍କ ଏହି ଗୋଚର ସଫଳତା ଆଣିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି। ଶତ୍ରୁଙ୍କ ଉପରେ ପ୍ରଭାବ ବଢ଼ିପାରେ ଏବଂ ବିରୋଧୀମାନେ କ୍ଷତି କରିବାରେ ସଫଳ ନ ହୋଇପାରନ୍ତି। ପୁରୁଣା ଋଣ ଶୁଝିବାର ସୁଯୋଗ ମିଳିପାରେ। ଆର୍ଥିକ ସହାୟତା ମିଳିବା ସହ ଜମିଜମା ସମ୍ପର୍କିତ ମାମଲାରେ ମଧ୍ୟ ଲାଭ ମିଳିପାରେ। ଆଇନଗତ ବିବାଦର ସମାଧାନ ହେବାର ସମ୍ଭାବନା ଥିବା କୁହାଯାଇଛି।
ତୁଳା ରାଶିର ଜାତକଙ୍କ ପାଇଁ ମଧ୍ୟ ଏହି ଗୋଚର ଲାଭଦାୟକ ହୋଇପାରେ। ଜୀବନରେ ସୁଖ-ସୁବିଧା ବଢ଼ିପାରେ। ପରିବାରର ବଡ଼ମାନେ ଓ ସମ୍ପର୍କୀୟଙ୍କ ସହଯୋଗ ମିଳିପାରେ। ପୈତୃକ ଜମିଜମା ସମସ୍ୟାର ସମାଧାନ ହୋଇପାରେ। ନୂଆ ଘର କିଣିବାର ଯୋଗ ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଜ୍ୟୋତିଷ ମତ ରହିଛି। ନିବେଶ କ୍ଷେତ୍ରରେ ଲାଭର ସମ୍ଭାବନା ନେଇ ମଧ୍ୟ ଦାବି କରାଯାଇଛି।
ମକର ରାଶିରେ ରାହୁଙ୍କ ଗୋଚର ହେଉଥିବାରୁ ଏହି ରାଶିର ଜାତକଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିପାରେ। ଜ୍ୟୋତିଷୀୟ ମତ ଅନୁସାରେ ବ୍ୟକ୍ତିତ୍ୱରେ ଆକର୍ଷଣ ବଢ଼ିବା ସହ ସାମାଜିକ ପ୍ରଭାବ ବୃଦ୍ଧି ପାଇପାରେ। ମହତ୍ତ୍ୱାକାଂକ୍ଷା ବଢ଼ିପାରେ ଏବଂ ଦୂରଦୃଷ୍ଟି ସହ ନିଆଯାଇଥିବା ନିଷ୍ପତ୍ତି ସଫଳତା ଦେଇପାରେ। ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କୁ ପଦ ଓ ପ୍ରତିଷ୍ଠା ମିଳିପାରେ। ବ୍ୟବସାୟରେ ମଧ୍ୟ ପ୍ରଭାବ ଓ ଆର୍ଥିକ ସ୍ଥିତି ବଢ଼ିପାରେ ବୋଲି ଜ୍ୟୋତିଷ ମତ ରହିଛି।
ମୀନ ରାଶି ପାଇଁ ମଧ୍ୟ ରାହୁଙ୍କ ଏହି ଗୋଚର ସକାରାତ୍ମକ ହୋଇପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଇଛି। ଆୟ, ନିବେଶ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିପାରେ। ହଠାତ୍ ଧନଲାଭର ସୁଯୋଗ ଆସିପାରେ। ବନ୍ଧୁମାନଙ୍କ ସହଯୋଗରେ ବ୍ୟବସାୟକୁ ନୂଆ ସ୍ତରକୁ ନେବାର ସୁଯୋଗ ମିଳିପାରେ। ଅତିରିକ୍ତ ଆୟର ନୂଆ ଉତ୍ସ ସୃଷ୍ଟି ହେବା ସହ ଭାଗ୍ୟର ସହଯୋଗ ମିଳିପାରେ ବୋଲି କୁହାଯାଇଛି।