Categories: ଖେଳ

ଡେବ୍ୟୁ ମ୍ୟାଚ୍‌ରେ ସିଦ୍ଧୁଙ୍କ ୩୩ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଯୁବ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: ଆବୁଧାବିରେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ କମାଲ କରିଦେଖାଇଛନ୍ତି ଯୁବ ଓପନର ରହମାନୁଲ୍ଲାହ ଗୁରବାଜ୍‌। ଆଫଗାନିସ୍ତାନର ଏହି ୧୯ ବର୍ଷୀୟ କ୍ରିକେଟର ଗୁରୁବାର କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଖେଳୁଥିଲେ। ଏଥିରେ ଧୂଆଁଧାର ବ୍ୟାଟିଂ ସହ ଶତକ ମାରି ସେ ଭାରତର ପୂର୍ବ ବ୍ୟାଟ୍ସମ୍ୟାନ୍‌ ନବଜୋତ ସିଂହ ସିଦ୍ଧୁଙ୍କ ୩୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଗୁରବାଜ ନିଜର ଡେବ୍ୟୁ ମ୍ୟାଚ୍‌ରେ ୧୨୭ ବଲ୍‌ ଖେଳି ୧୨୭ ରନ୍‌ କରିଥିଲେ। ଏଥିରେ ୮ ଚଉକା ଏବଂ ୯ ଛକା ସାମିଲ ଅଛି।

ସିଦ୍ଧୁ ୧୯୮୭ରେ କ୍ରିକେଟ ବିଶ୍ୱକପ୍‌ରେ ଡେବ୍ୟୁ କରିଥିଲେ। ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୫ ଛକା ମାରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ଗତ ୩୩ ବର୍ଷ ଧରି କୌଣସି ବ୍ୟାଟ୍ସମ୍ୟାନ୍‌ ଡେବ୍ୟୁ ମ୍ୟାଚ୍‌ରେ ଏଭଳି କାରନାମା କରିପାରି ନ ଥିଲେ। ହେଲେ ଗୁରବାଜ୍‌ ତାହା କରିଦେଖାଇଛନ୍ତି।

ଡେବ୍ୟୁ ମ୍ୟାଚ୍‌ରେ ସିଦ୍ଧୁ ୬୯ ବଲ୍‌ରେ ୭୩ ରନ୍‌ କରିଥିଲେ। ବିଶ୍ୱକପ୍‌ ମ୍ୟାଚ୍‌ ଥିବା ଯୋଗୁ ଏହି ପାଳିକୁ ଶ୍ରେଷ୍ଠ ଭାବେ ବିବେଚନା କରାଯାଇଥିଲା। ସେ ନିଜର ପାଳିରେ ୫ ଛକା ଏବଂ ୪ ଚଉକା ମାରିଥିଲେ। ଭାରତ ୧ରନ୍‌ରେ ଏହି ମ୍ୟାଚ୍‌ ହାରିଯାଇଥିଲା।

Share