Categories: ଜାତୀୟ

ଭାରତ ଯୋଡ଼ୋ ଯାତ୍ରାରେ ରଘୁରାମ ରାଜନ

ନୂଆଦିଲ୍ଲୀ,୧୫ା୧୨: କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ନେତା ରାହୁଲ ଗାନ୍ଧୀଙ୍କ ସହ ଜଣେ ପରେ ଜଣେ ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି ସାମିଲ ହେବାରେ ଲାଗିଛନ୍ତି। ଏହି କ୍ରମରେ ବୁଧବାର ସକାଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ନର ଡ. ରଘୁରାମ ରାଜନ ‘ଭାରତ ଯୋଡ଼ୋ ଯାତ୍ରା’ରେ ମିଶି ରାହୁଲଙ୍କ ସହିତ ପଦଯାତ୍ରା କରିଛନ୍ତି। ରାଜସ୍ଥାନର ସଓ୍ବାଇ ମାଧୋପୁରରେ ପଦଯାତ୍ରା ବେଳେ ରଘୁରାମ ଓ ରାହୁଲ ଆଲୋଚନା କରୁଥିବା ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ଏକ ଭିଡିଓରେ ଦେଖିବାକୁ ମିଳିଛି।

ଦେଶକୁ ଘୃଣା ବିରୋଧରେ ଏକଜୁଟ୍‌ କରିବା ପାଇଁ ଉଦ୍ଦିଷ୍ଟ ଏହି ଅଭିଯାନରେ ବିଶିଷ୍ଟ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆମେ ସଫଳ ହେବା ବୋଲି ଏହା ଜଣାଇଦେଉଛି ବୋଲି କଂଗ୍ରେସ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହା ଉପରେ ଭାଜପା ନେତା ଅମିତ ମାଲବ୍ୟ ଟୁଇଟ୍‌ କରି ଲେଖିଛନ୍ତି, ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ କଂଗ୍ରେସ ଦ୍ୱାରା ନିଯୁକ୍ତ ଜଣେ ବ୍ୟକ୍ତି। ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ମିଶିବାକୁ ନେଇ ବିସ୍ମିତ ହେବାର ନାହିଁ।

ରଘୁରାମ ନିଜକୁ ପରବର୍ତ୍ତୀ ମନମୋହନ ସିଂ ବୋଲି ମନେକରନ୍ତି। ଭାରତର ଅର୍ଥନୀତି ଉପରେ ତାଙ୍କ ସୁବିଧାବାଦୀ ଟିପ୍ପଣୀକୁ ତିରସ୍କାର କରାଯିବା ଉଚିତ।
ପ୍ରକାଶ ଯେ ଏହା ପୂର୍ବରୁ ଅମୋଲ ପାଲେକର, ସନ୍ଧ୍ୟା ଗୋଖଲେ, ପୂଜା ଭଟ୍ଟ, ରିୟା ସେନ, ସୁଶାନ୍ତ ସିଂ, ମୋନା ଅମ୍ବେଗାଓଁକର, ରଶ୍ମି ଦେଶାଇ ଓ ଆକାଂକ୍ଷା ପୁରୀଙ୍କ ଭଳି ସିନେ ବ୍ୟକ୍ତିତ୍ୱ ଏବଂ ମେଧା ପାଟ୍‌କର ଓ ବକ୍ସର ବିଜେନ୍ଦର ସିଂଙ୍କ ପରି ବିଶିଷ୍ଟ ବ୍ୟକ୍ତି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇସାରିଛନ୍ତି। ଏପରି କି ହଲିଉଡ୍‌ ଷ୍ଟାର ଜନ୍‌ କୁସାକ୍‌ ମଧ୍ୟ ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଥିବା କଂଗ୍ରେସର ଏହି ଅଭିଯାନ ସପକ୍ଷରେ ଟୁଇଟ୍‌ କରିଥିଲେ। ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ବର୍ଷ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ କଶ୍ମୀରରେ ଶେଷ ହେବ।

Share