ଶାମୁକା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ

ପୁରୀ ଅଫିସ, ୧୩ା୪: ଜଣାଶୁଣା ବରିଷ୍ଠ ଶାମୁକା ଶିଳ୍ପୀ ତଥା ସଂସ୍କୃତିପ୍ରେମୀ ଗୁରୁ ରଘୁନାଥ ମହାପାତ୍ରଙ୍କର ପୁରୀ ଅମଲା କ୍ଲବସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଶାମୁକା ଶିଳ୍ପକୁ ଓଡ଼ିଶାରେ ପରିଚିତ କରାଇବାରେ ସ୍ବର୍ଗତ ମହାପାତ୍ର ପ୍ରଥମ ବ୍ୟକ୍ତି ଥିଲେ। ବିଶେଷଭାବେ ପୁରୀର ବିଭିନ୍ନ ଦୋକାନ ଓ ବେଳାଭୂମିରେ ଶାମୁକାକୁ ଏକ ବ୍ୟବସାୟରେ ପରିବର୍ତ୍ତନ କରି ସେ ଅନେକ ଲୋକଙ୍କୁ ଜୀବନ ଜୀବିକାର ରାହା ଦେଖାଇଥିଲେ। ତାଙ୍କଠାରୁ ବହୁ ଯୁବତୀ ଯୁବକ ଶାମୁକା କାରିଗରୀ ଶିକ୍ଷା ଲାଭ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ନିଜର ନିଖୁଣ କାରିଗରୀ ପାଇଁ ସେ ୧୯୮୫ରେ ରାଜ୍ୟ ପୁରସ୍କାର, ୧୯୯୩ରେ ରାଷ୍ଟ୍ରପତି ପୁରସ୍କାର ଏବଂ ୨୦୧୭ରେ ରାଜ୍ୟ ସରକାରଙ୍କ ଦ୍ୱାରା ଜୀବନ ବ୍ୟାପି ସାଧନା ପାଇଁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେହିପରି ୧୯୭୯ରୁ ୨୦୦୧ ପର୍ଯ୍ୟନ୍ତ ଓଡ଼ିଶା ହସ୍ତଶିଳ୍ପ ବିଭାଗର ବରିଷ୍ଠ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରିଥିଲେ। ଏଥିସହ ପୁରୀ ସାହିଯାତ୍ରାର ପ୍ରଚାର ପ୍ରସାର ପାଇଁ ଜିଲା ସଂସ୍କୃତି ବିଭାଗ ତରଫରୁ ହରିୟାଣା, ଦିଲ୍ଲୀ, କୋଲକାତା ପ୍ରଭୃତି ଅନେକ ସହରକୁ ଯାଇ ରାବଣ ନୃତ୍ୟ ପରିବେଷଣ କରି ପ୍ରଶଂସା ସାଉଣ୍ଟିଥିଲେ। ମଙ୍ଗଳବାର ମହାପାତ୍ରଙ୍କ ଦେହାନ୍ତ ଖବର ପାଇ ତାଙ୍କ ଛାତ୍ରୀଛାତ୍ର, ସଂସ୍କୃତିପ୍ରେମୀ, ବରିଷ୍ଠ ପଦାଧିକାରୀ, ବିଭିନ୍ନ ଜାଗା ଆଖଡ଼ାର କର୍ମକର୍ତ୍ତା ସ୍ଥାନୀୟ ବାସଭବନରେ ପହଞ୍ଚତ୍ ଶେଷ ଦର୍ଶନ କରିଥିଲେ। ବିଳମ୍ବିତ ରାତିରେ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ବଡ଼ ପୁଅ ପ୍ରଦୀପ୍ତ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ। ସ୍ବର୍ଗଦ୍ୱାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ, ପୂର୍ବତନ ନଗରପାଳ ତଥା ପୁରୀ ଏମ୍‌ପିଙ୍କ ପ୍ରତିନିଧି ଗୌରହରି ପ୍ରଧାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ସ୍ବର୍ଗତ ମହାପାତ୍ରଙ୍କ ତୃତୀୟ ପୁତ୍ର ଜଗନ୍ନାଥ ମହାପାତ୍ର ମଧ୍ୟ ଶାମୁକା ଶିଳ୍ପୀ ଭାବେ ରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିବା ସହିତ ରାଷ୍ଟ୍ରପତି ସମ୍ମାନ ଲାଭ କରିଛନ୍ତି।