ଚଣ୍ଡିଗଡ଼,୧୬ା୧୧: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଜପା ଏହାର ଇସ୍ତାହାର କମିଟିରେ ରାଜ୍ୟ ସଭା ସଦସ୍ୟ ରାଘବ ଚଢ଼ା ଏବଂ ହରଭଜନ ସିଂଙ୍କୁ ନେଇଛି। ରାଘବ ଗତ ଏପ୍ରିଲରେ ଆମ୍ ଆଦ୍ମୀ ପାର୍ଟି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ପଞ୍ଜାବ ଭାଜପା ସଭାପତି କଓ୍ବେଲ ସିଂ ଧିଲେଁା ୨ଟି ନିର୍ବାଚନ କମିଟି ଘୋଷଣା କରିଛନ୍ତି। ପୂର୍ବତନ ରାଜ୍ୟ ସଭା ସଦସ୍ୟ ଅବିନାଶ ରାୟ ଖାନ୍ନାଙ୍କୁ ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ଚାର୍ଜଶିଟ୍ କମିଟିର ନେତୃତ୍ୱ ନେବେ ପୂର୍ବତନ ଏମ୍ପି ସୁନୀଲ ଜାଖର। ଉଭୟ ନେତା ପୂର୍ବର ପଞ୍ଜାବ ଭାଜପା ସଭାପତି ଭାବେ କାର୍ଯ୍ୟ କରିଥିଲେ। ୧୩ ଜଣିଆ ଇସ୍ତାହାର କମିଟି ଦଳର ନିର୍ବାଚନ ପ୍ରତିଶ୍ରୁତିର ଚିଠା ପ୍ରସ୍ତୁତ କରିବ। ରାଘବ ଏବଂ ହରଭଜନଙ୍କ ବ୍ୟତୀତ ଉକ୍ତ କମିଟିରେ ମନପ୍ରୀତ ସିଂ ବାଦଲ, ଅଶ୍ୱନୀ ଶର୍ମା, ମନୋରଞ୍ଜନ କାଲିଆ, ସୋମ ପ୍ରକାଶ, ରାଣା ଗୁର୍ମିତ ସିଂ ସୋଧି, ଅଶ୍ୱନୀ ସେକ୍ରି, ସତନାମ ସିଂ ସାନ୍ଧୁ, ରାଜିନ୍ଦର ଗୁପ୍ତା, ପରମପାଲ କୌର ଏବଂ ଆଡଭୋକେଟ୍ ଏଚ୍.ଏସ୍. ଫୁଲ୍କା ସଦସ୍ୟ ରହିଛନ୍ତି। ସେହିପରି ୧୪ ଜଣିଆ ଚାର୍ଜଶିଟ୍ କମିଟି ପଞ୍ଜାବରେ ନିର୍ବାଚନ ପୂର୍ବରୁ ଆପ୍ ସରକାରଙ୍କ ବିରୋଧରେ ଭାଜପାର ମାମଲା ପ୍ରସ୍ତୁତ କରିବ। ଏଥିରେ ଇକ୍ବାଲ ସିଂ ଲାଲପୁରା, ବିଜୟ ସାମ୍ପଲା, ଶ୍ୱେତ ମଲିକ, ପ୍ରେନୀତ କୌର, ରବନୀତି ସିଂ ବିଟ୍ଟୁ ପ୍ରମୁଖ ସଦସ୍ୟ ଅଛନ୍ତି।