ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍ପି ରାଘବ ଚଢା ଭାଜପାରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ବଢ଼ିବାରେ ଲାଗିଛି। ଏମିତିରେ ଆପ୍ ନେତା ସୌରଭ ଭରଦ୍ୱାଜଙ୍କ ଏକ ଟୁଇଟ୍ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।
ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆପ ନେତା ସୌରଭ ଭରଦ୍ୱାଜ ଏକ୍ସ (ପୂର୍ବରୁ ଟୁଇଟର)ରେ ପୋଷ୍ଟ କରି ରାଘବଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,ରାଘବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସେହି ସବୁ ପୋଷ୍ଟକୁ ଡିଲିଟ କରିଦେଇଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଭାଜପାର ସମାଲୋଚନା କରିଥିଲେ। ସର୍ଚ୍ଚ କରିବା ପରେ ଜଣାପଡିଛି ଯେ, ତାଙ୍କ ଟାଇମଲାଇନରେ ’ମୋଦି’ ଶବ୍ଦ ଥିବା ମାତ୍ର ଦୁଇଟି ପୋଷ୍ଟ ରହିଛି ଏବଂ ସେହି ଦୁଇଟି ଯାକ ପ୍ରଶଂସାମୂଳକ। ସୌରଭଙ୍କ କହିବା ଅନୁଯାୟୀ, ରାଘବ ନିଜର ପୁରୁଣା ’ସମାଲୋଚକ’ ଭାବମୂର୍ତ୍ତିକୁ ପୋଛି ଏକ ନୂଆ ‘ୱାଶିଂ ମେସିନ’ ଭାବମୂର୍ତ୍ତି ତିଆରି କରିବାକୁ ଚେଷ୍ଟା କରୁଛନ୍ତି।
ରାଘବ ଚଢ଼ା ଏବଂ ଆପ ମଧ୍ୟରେ ବିବାଦ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ତାଙ୍କୁ ରାଜ୍ୟ ସଭାରେ ପାର୍ଟିର ’ଉପନେତା’ ପଦରୁ ହଟାଇ ଦିଆଗଲା। ଦଳର ଅଭିଯୋଗ ଯେ, ରାଘବ ସଂସଦରେ ପାର୍ଟିର ମୁଦ୍ଦା ଠିକ ଭାବରେ ଉଠାଉ ନାହାନ୍ତି। କେବଳ ଦିଲ୍ଲୀ ନୁହେଁ, ପଞ୍ଜାବର ଆପ ନେତାମାନେ ମଧ୍ୟ ରାଘବଙ୍କ ଉପରେ ବର୍ଷିଛନ୍ତି। ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଏବଂ ଅମନ ଆରୋରା ଏକ ମିଳିତ ବିବୃତ୍ତିରେ କହିଛନ୍ତି ଯେ, ପଞ୍ଜାବର ବିଧାୟକମାନେ ରାଘବଙ୍କୁ ରାଜ୍ୟ ସଭାକୁ ପଠାଇଥିଲେ ଯେପରି ସେ ସେଠାରେ ପଞ୍ଜାବର ସୱର ହେବେ। କିନ୍ତୁ ସେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚୁପ୍ ରହି ପାର୍ଟିର ନୀତି ଆଦର୍ଶ ବିରୋଧରେ କାମ କରୁଛନ୍ତି।
ରାଘବ ଚଢ୍ଢାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଅଭିଯୋଗ ଉପରେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଯଦିଓ ସେ ଭାଜପାକୁ ଯିବେ କି ନାହିଁ ତାହା ଏବେ ବି ରହସ୍ୟ ଘେରରେ, କିନ୍ତୁ ଆପ ନେତାଙ୍କ ଟାର୍ଗେଟରୁ ଏହା ସ୍ପଷ୍ଟ ଯେ ଦଳ ଭିତରେ ସବୁକିଛି ଠିକ ଚାଲିନାହିଁ।
Dharitri – Odisha’s No.1 Odia Daily