ପୃଥିବୀ ବାହାରୁ ମିଳିଲା ରେଡିଓ ସିଗ୍‌ନାଲ

ନୂଆଦିଲ୍ଲୀ, ୧୩ା୧୦: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ଅଛି କି ନା ସେ ନେଇ ଦୀର୍ଘଦିନରୁ ଗବେଷଣା ଜାରି ଥିବାବେଳେ ଏବେ ଏକ ଅଦ୍ଭୁତ ଘଟଣା ଆବିଷ୍କାର ହୋଇଛି। ପୃଥିବୀ ବାହାରୁ ଆସୁଥିବା ଏକ ପ୍ରକାର ରେଡିଓ ସିଗ୍‌ନାଲକୁ ଧରିବାରେ ବୈଜ୍ଞାନିକମାନେ ସକ୍ଷମ ହୋଇଛନ୍ତି। ଏହି ସିଗ୍‌ନାଲ ଆଧାରରେ ଅନ୍ୟ ଗ୍ରହରେ ଜୀବନର ସନ୍ଧାନ କରିହେବ ବୋଲି ସେମାନେ ଦାବି କରିଛନ୍ତି। ନେଦରଲାଣ୍ଡସ୍‌ରେ ସ୍ଥାପିତ ଦୁନିଆର ସବୁଠାରୁ ଶକ୍ତିଶାଳୀ ରେଡିଓ ଆଣ୍ଟିନା ମାଧ୍ୟମରେ ବୈଜ୍ଞାନିକମାନେ ଏହି ଲୋ-ଫ୍ରିକ୍ୱେନ୍ସି-ଆରେ(ଏଲ୍‌ଓଏଫ୍‌ଏଆର୍‌)କୁ ଧରିଛନ୍ତି। ରେଡିଓ ସିଗ୍‌ନାଲକୁ ଠାବ କରିଥିବା କୁଇନ୍ସଲାଣ୍ଡ ୟୁନିଭର୍ସିଟିର ଡ. ବେଞ୍ଜାମିନ୍‌ ପୋପ୍‌ ଏବଂ ତାଙ୍କ ଟିମ୍‌ଙ୍କ କହିବା ଅନୁସାରେ, ନୂତନ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମହାକାଶ ବିଜ୍ଞାନୀ ୧୯ ଡିଷ୍ଟାଣ୍ଟ ରେଡ୍‌ ଡ୍ବାର୍ଫ ସଙ୍କେତ ପାଇଛନ୍ତି। ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଯୋଗୁ ପୃଥିବୀ ସୌର ପବନ ସଂସ୍ପର୍ଶରେ ଆସିଲେ ରେଡିଓ ତରଙ୍ଗ ଛାଡ଼ି ଥାଏ। ତେଣୁ ଏବେ ମିଳିଥିବା ଚୁମ୍ବକୀୟ ତରଙ୍ଗ ସୂର୍ଯ୍ୟ ଭଳି ତାରକା ନିକଟରୁ ଆସିଥାଇପାରେ ଏବଂ ସେଠାରେ ଗ୍ରହଗୁଡ଼ିକ ପୃଥିବୀ ଭଳି ପରିକ୍ରମା କରୁଥାଇପାରନ୍ତି ବୋଲି ନେଚର ଆଷ୍ଟ୍ରୋନୋମି ପତ୍ରିକାରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି।

Share