ଚେର୍ନୋବିଲ୍‌ରୁ ତେଜସ୍କ୍ରିୟ ବିକିରଣ

ୟୁକ୍ରେନ୍‌ର ଚେର୍ନୋବିଲ ଆଣବିକ ପ୍ଲାଣ୍ଟରେ ୧୯୮୬ ଏପ୍ରିଲ ୨୬ରେ ଏକ ରିଆକ୍ଟରରେ ବିସ୍ଫୋରଣ ଘଟିବାରୁ ସାରା ୟୁରୋପରେ ରେଡିଓଆକ୍ଟିଭ ବିକିରଣ ଘଟିଥିଲା। ୨୦୧୭ରେ ନଷ୍ଟ ହୋଇଯାଇଥିବା ରିଆକ୍ଟରକୁ ସୁରକ୍ଷିତ ରଖିବା ଲାଗି ବ୍ୟବସ୍ଥା କରାଯାଇଥିଲା। ହେଲେ ଚେର୍ନୋବିଲ ଅଞ୍ଚଳରେ ରୁଷିଆର ତୀବ୍ର ସାମରିକ କାର୍ଯ୍ୟକଳାପ ଯୋଗୁ ପୁନଶ୍ଚ ବିକିରଣ ବିପଦକୁ ଡାକିଆଣିଛି।

କ୍ୱିଭ୍‌,୨୬ା୨: ୟୁକ୍ରେନ୍‌ର ଚେର୍ନୋବିଲ୍‌ ଆଣବିକ ପ୍ଲାଣ୍ଟକୁ ରୁଷିଆ କବ୍‌ଜା କରିବା ସହ ଉକ୍ତ ଅଞ୍ଚଳରେ ଭାରି ସାମରିକ ଯାନ ଚଳାଚଳ ବୃଦ୍ଧି ପାଇଛି। ଫଳରେ ଉକ୍ତ ପ୍ଲାଣ୍ଟ ଅଞ୍ଚଳରୁ ତେଜସ୍କ୍ରିୟ ଗାମା ରଶ୍ମି ବିକିରଣ ସ୍ତର ବୃଦ୍ଧି ପାଇଛି। ବିକିରଣର ପ୍ରକୃତ ସ୍ତର ସମ୍ପର୍କରେ ୟୁକ୍ରେନ୍‌ ଆଣବିକ ସଂସ୍ଥା ସବିଶେଷ ସୂଚନା ଦେଇ ନ ଥିଲେ ମଧ୍ୟ ତେଜସ୍କ୍ରିୟ ଧୂଳି ପ୍ରବଳ ମାତ୍ରାରେ ଉଠୁଥିବା କୁହାଯାଇଛି। ଗୁରୁବାର ରାତିରେ ଉକ୍ତ ଅଚଳ ଆଣିବିକ ପ୍ଲାଣ୍ଟର ସୁରକ୍ଷା ଦାୟିତ୍ୱରେ ଥିବା ୟୁକ୍ରେନ୍‌ ସୈନ୍ୟଙ୍କ ସହ ଘମାଘୋଟ ଲଢ଼େଇ ପରେ ରୁଷିଆ ସେନା ଏହାକୁ ଅକ୍ତିଆର କରିଥିଲା। କ୍ୱିଭ୍‌ଠାରୁ ୧୩୦ କିଲୋମିଟର ଉତ୍ତରରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଆଣବିକ ପ୍ଲାଣ୍ଟ ରହିଛି। ଏହି ନିଷିଦ୍ଧାଞ୍ଚଳ ମଧ୍ୟରେ ରୁଷିଆ ସୈନ୍ୟବାହିନୀର ଓଜନଦାର ଯୁଦ୍ଧ ଉପକରଣ ପରିବହନ ଯୋଗୁ ଗାମା ବିକିରଣ ସ୍ତର ବୃଦ୍ଧି ପାଇଥିବା ସେଠାର ଆଣବିକ ରେଗୁଲେଟର ଇନ୍‌ସ୍ପେକ୍ଟୋରେଟ୍‌ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ୧୯୮୬ ଏପ୍ରିଲ୍‌ ୨୬ରେ ଚେର୍ନୋବିଲ୍‌ ଆଣବିକ ପ୍ଲାଣ୍ଟର ୪ ନମ୍ବର ରିଆକ୍ଟରରେ ତ୍ରୁଟି ଯୋଗୁ ବିପର୍ଯ୍ୟୟ ଘଟିଥିଲା। ଏହା ଇତିହାସର ଅନ୍ୟତମ ବଡ଼ ଆଣବିକ ବିପର୍ଯ୍ୟୟ ଥିଲା। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେବା ସହ ତେଜସ୍କ୍ରିୟ ରଶ୍ମି ପ୍ରଭାବରେ ଅନେକ କ୍ୟାନସରରେ ପୀଡ଼ିତ ହୋଇଥିଲେ। ଉକ୍ତ ଅଞ୍ଚଳରୁ ୩.୫ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା।

Share