ମାର୍ଚ୍ଚ ୧ରେ ଭୁବନେଶ୍ୱରକୁ ଟ୍ରାକ୍ଟର ରାଲି

ସମ୍ବଲପୁର,୧୩।୨ (ବ୍ୟୁରୋ): ସମ୍ବଲପୁର ବରେଇପାଲି ମାର୍କେଟ ୟାର୍ଡ ପରିସରରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚାଷୀମାନେ ଟାଗେର୍ଟ କରି ବର୍ଷିଥିଲେ। ଫେବୃୟାରୀ ଶେଷ ସୁଦ୍ଧା ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନ ସଂଗ୍ରହ ସହ ରାଜ୍ୟ ସରକାର ଠିକା ଚାଷ ଓ ମଣ୍ଡି ଘରୋଇକରଣ ପାଇଁ ଆଣିଥିବା ଅଧ୍ୟାଦେଶ ବାତିଲ ଦାବିରେ ଚାଷୀମାନେ ମାର୍ଚ୍ଚ ୧ରେ ଭୁବନେଶ୍ୱରକୁ ଟ୍ରାକ୍ଟର ରାଲି କରିବେ ବୋଲି ଚେତାବନୀ ଦେଇଛନ୍ତି। ବାଇକ୍‌ରେ ମଧ୍ୟ ପଶ୍ଚିମ ଓଡିଶାର ହଜାର ସଂଖ୍ୟାରେ ଚାଷୀ ବିଧାନସଭା ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି।
ପଶ୍ଚିମ ଓଡିଶା କୃଷକ ସଂଗଠନ ଆବାହକ ଅଶୋକ ପ୍ରଧାନ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଚିନ୍ତା କରୁନାହାନ୍ତି। ଚାଷୀଙ୍କୁ ନେଇ ଅଯଥାରେ ରାଜନୀତି କରାଯାଉଛି। ବାସ୍ତବରେ ଚାଷୀ ଘରୋଇକରଣକୁ ବିରୋଧ କରିଆସିଛି। ହେଲେ ରାଜ୍ୟ ସରକାର ପୂର୍ବରୁ ୨ଥର ମଣ୍ଡି ଘରୋଇକରଣ କରିବା ଓ ଠିକା ଚାଷକୁ ନେଇ ବିଲ୍‌ ପାସ୍‌ କରିବାକୁ ଚେଷ୍ଟା କରିଥିଲେ। ହେଲେ ବିରୋଧ ହେବାରୁ ତାହା ହୋଇପାରି ନ ଥିଲା। ଇତିମଧ୍ୟରେ ଏହି ଅଧ୍ୟାଦେଶ ଆଣିଥିବା ଜଣାପଡିଛି। ଏହା ବିରୋଧରେ ପଶ୍ଚିମ ଓଡିଶାର ଚାଷୀ ଭୁବନେଶ୍ୱର ଯାଇ ଆନ୍ଦୋଳନ କରିବେ। ସମ୍ବଲପୁର ଜିଲା ସମେତ ପଶ୍ଚିମ ଓଡିଶାରେ ଲକ୍ଷାଧିକ କୁଇଣ୍ଟାଲ ଧାନ ପଡିରହିଛି। ଏହାସହ ଅଦିନିଆ ବର୍ଷାରେ ଧାନ ନଷ୍ଟ ହୋଇଯାଇଛି। ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଅଭିଯୋଗ ସହ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏପରି କି ଧାନ ସଂଗ୍ରହ ପାଇଁ
ରାଜ୍ୟ ସରକାର ସିଧାସଳଖ ମନା କରିଦେଉଛନ୍ତି। ବିକଳ୍ପ ନ ଥିବାରୁ ଚାଷୀମାନେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ସମର୍ଥନ କରିବ ଓ ଭାଗିଦାରୀ ରହିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ପ୍ରଧାନ, ମୁରାରୀ ପୁରୋହିତ, ସୁଶୀଲ ସାହୁ, ମର୍କଧ୍ୱଜ ପ୍ରଧାନ, ଗିରିଶ ସାହୁ, ଶିବ ପ୍ରଧାନ, ସରୋଜ ମହାନ୍ତି, ଦିଲୀପ ବଢ଼େଇ, ବିରଞ୍ଚତ୍ ସାହୁ, ପ୍ରଦୀପ ସ୍ବାଇଁ, ହରିଶଙ୍କର ପୁରୋହିତ, ବ୍ୟୋମକେଶ ଠାକୁର, ଉମେଶ ମିଶ୍ର, ସୁରେଶ ତ୍ରିପାଠୀ, ଦେବେନ୍ଦ୍ର ପ୍ରଧାନ, ଏମ୍‌ ଗୋବିନ୍ଦୁ, ଗୌରବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।