ନୂଆଦିଲ୍ଲୀ,୧୩ା୧୧: ଟ୍ରେନ୍ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ଼ ପରିବର୍ତ୍ତନ ଉପରେ ବିଚାର କରୁଛି ଭାରତୀୟ ରେଳବାଇ । ଦୀର୍ଘ ବର୍ଷ ଧରି ରେଳ ଟିକେଟ୍ ବ୍ୟବସ୍ଥାରେ ରହିଆସିଥିବା RAC (Reservation Against Cancellation) ନିୟମକୁ ବନ୍ଦ କରିବା କିମ୍ବା ଏଥିରେ ପରିବର୍ତ୍ତନ ଆଣିବା ନେଇ ମନ୍ଥନ ଚାଲିଥିବା ସୂଚନା ମିଳିଛି। ତେବେ ଏନେଇ ଏଯାଏ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ବର୍ତ୍ତମାନ ଟ୍ରେନ୍ରେ କନଫର୍ମ ଟିକେଟ୍ ନମିଳିଲେ ରେଳବାଇ ପକ୍ଷରୁ RAC ଟିକେଟ୍ ଦିଆଯାଏ। ଏହି ବ୍ୟବସ୍ଥାରେ ଗୋଟିଏ ବର୍ଥରେ ଦୁଇ ଜଣ ଯାତ୍ରୀଙ୍କୁ ସ୍ଥାନ ମିଳିଥାଏ। ଅର୍ଥାତ୍ ଦୁଇ ଯାତ୍ରୀଙ୍କୁ ଅଧା ଅଧା ସିଟ୍ରେ ବସି କିମ୍ବା ସୀମିତ ସ୍ଥାନରେ ଯାତ୍ରା କରିବାକୁ ପଡ଼େ। ଦୀର୍ଘ ଦୂରତାର ଯାତ୍ରା ସମୟରେ ଏହା ଅନେକଙ୍କ ପାଇଁ ଅସୁବିଧାର କାରଣ ହେଉଛି।
ଏକ ରିପୋର୍ଟ ଅନୁସାରେ, ଯାତ୍ରୀଙ୍କଠାରୁ ମିଳୁଥିବା ମତାମତକୁ ଆଧାର କରି ରେଳବାଇ ଏହି ପୁରୁଣା ବ୍ୟବସ୍ଥାର ସମୀକ୍ଷା କରୁଛି। ଯେତେବେଳେ ଯାତ୍ରୀଙ୍କୁ ପୂରା ବର୍ଥ ମିଳୁନାହିଁ, ସେତେବେଳେ ପୂରା ବର୍ଥର ଭଡ଼ା ଆଦାୟ କରିବା କେତେ ଯୁକ୍ତିଯୁକ୍ତ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଏହାବ୍ୟତୀତ, ଗୋଟିଏ ବର୍ଥରେ ଦୁଇ ଜଣ ଅଜଣା ଯାତ୍ରୀଙ୍କୁ ସ୍ଥାନ ମିଳିଲେ ବେଳେବେଳେ ଅସହଜ ପରିସ୍ଥିତି ସୃଷ୍ଟି ହେଉଛି । ବିଶେଷକରି ଜଣେ ପୁରୁଷ ଓ ଜଣେ ମହିଳା ଯାତ୍ରୀଙ୍କୁ ଗୋଟିଏ ବର୍ଥରେ ସ୍ଥାନ ମିଳିଲେ ଅସୁବିଧା ବଢ଼ିପାରେ । ଏଭଳି ସ୍ଥିତିରେ ଟିକେଟ୍ ଯାଞ୍ଚ କରୁଥିବା TTEଙ୍କୁ ମଧ୍ୟ ଅନ୍ୟ ବ୍ୟବସ୍ଥା କରିବାରେ ସମସ୍ୟା ହେଉଥିବା କୁହାଯାଉଛି।
ଅନ୍ୟପକ୍ଷରେ, ପର୍ବପର୍ବାଣୀ ସମୟରେ RAC ବ୍ୟବସ୍ଥା ଯାତ୍ରୀଙ୍କ ପାଇଁ ଏକ ବଡ଼ ସାହାରା ପାଲଟିଥାଏ। ବିଶେଷକରି ଦୀପାବଳି ଓ ଛଟ୍ ପୂଜା ଭଳି ପର୍ବ ସମୟରେ ଦେଶର ବିଭିନ୍ନ ରେଳପଥରେ ଯାତ୍ରୀଙ୍କ ଭିଡ଼ ବଢ଼ିଯାଏ । ଏଭଳି ସମୟରେ କନଫର୍ମ ଟିକେଟ୍ ନମିଳିଲେ ମଧ୍ୟ RAC ଜରିଆରେ ଯାତ୍ରୀଙ୍କୁ ଆଇନସମ୍ମତ ଭାବେ ଯାତ୍ରା କରିବାର ସୁଯୋଗ ମିଳେ । ସେହିପରି, ବନ୍ଦେ ଭାରତ ସ୍ଲିପର ଟ୍ରେନ୍ରେ RAC ଓ ୱେଟିଂ ଲିଷ୍ଟ ବ୍ୟବସ୍ଥା ନଥିବା ଏବଂ କେବଳ କନଫର୍ମ ଟିକେଟ୍ଧାରୀଙ୍କୁ ଯାତ୍ରା ଅନୁମତି ମିଳୁଥିବା କୁହାଯାଇଛି।
ତେବେ ଆଧୁନିକ ରେଳଯାତ୍ରା ଓ ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି RAC ବ୍ୟବସ୍ଥାରେ କି ପରିବର୍ତ୍ତନ ହେବ, ତାହା ଉପରେ ଏବେ ନଜର ରହିଛି । ରେଳବାଇ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପରେ ହିଁ ଏହାର ପ୍ରଭାବ ସ୍ପଷ୍ଟ ହେବ।