ପଞ୍ଜାବ ଟିମ୍‌କୁ ଗଲେ ରବାଡା, ଅଷ୍ଟ୍ରେଲିୟ ଅଧିନାୟକଙ୍କ ପାଇଁ ୩ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଲଢ଼େଇ

ବେଙ୍ଗାଲୁରୁ,୧୨।୨: ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍‌ ବୋଲର୍‌ କାଗିସୋ ରବାଡାଙ୍କୁ କିଣିଛି ପଞ୍ଜାବ୍‌ କିଙ୍ଗ୍ସ। ଏହି କ୍ରିକେଟର ୯.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। ଅପରପକ୍ଷେ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ ଅଧିନାୟକ ପ୍ୟାଟ୍‌ କମିନ୍ସ ୭.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। ତାଙ୍କୁ ପୁଣି ଥରେ କୋଲକାତା ନାଇଟ ରାଇଡର୍ସ କିଣିଛି।

ରବାଡାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ରିଟେନ୍‌ କରି ନ ଥିଲା। ଦଳର ଏହି ନିଷ୍ପତ୍ତିକୁ ଅନେକ ସମାଲୋଚନା କରିଥିଲେ। ହେଲେ ଶେଷରେ ୨୬ ବର୍ଷୀୟ ଏହି ଦ୍ରୁତ ବୋଲରଙ୍କୁ ପଞ୍ଜାବ ନିଜ ଟିମ୍‌ରେ ସାମିଲ କରିଛି। ସେ ଏଯାବତ ୫୦ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିବା ବେଳେ ୭୬ ଉଇକେଟ ନେଇଛନ୍ତି।

ସେହିଭଳି କମିନ୍ସଙ୍କ ଆଇପିଏଲ୍‌ ରେକର୍ଡ ବେଶ୍‌ ପ୍ରଶଂସନୀୟ। ଗତ ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିଲେ। ସିଜନ୍‌ର ୭ ମ୍ୟାଚ୍‌ରେ ସେ ୯ ଉଇକେଟ ହାତେଇଥିଲେ। ଶନିବାର ସେ ତୃତୀୟ ଖେଳାଳି ଭାବେ ବିକ୍ରି ହୋଇଥିଲେ। ଗୁଜରାଟ ଟାଇଟସ୍‌ ଏବଂ କେକେଆର୍‌ ମଧ୍ୟରେ କମିନ୍ସଙ୍କୁ ନେଇ ମୂଲ୍ୟ ଡକାଯାଇଥିଲା। ଉଭୟ ଫ୍ରାଞ୍ଚାଇଜ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଶେଷରେ ଲକ୍ଷ୍ନୌ ଟିମ୍‌ ରେସ୍‌କୁ ଆସିଥିଲା। ମାତ୍ର କେକେଆର୍‌ ତାଙ୍କୁ ପୁଣିଥରେ ଦଳରେ ସାମିଲ କରିବାରେ ସଫଳ ହୋଇଥିଲା। ଗତ ଥର କୋଲକାତା ତାଙ୍କ ପାଇଁ ୧୫.୫୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

Share