କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୪ ଗିରଫ: ଗଜପତିରୁ ଦିଲ୍ଲୀ ହେଉଥିଲା ଚାଲାଣ

ବ୍ରହ୍ମପୁର ଅଫିସ,୧୬।୯: ଗଜପତିରୁ ନିୟମିତ ବ୍ୟବଧାନରେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ନଜିର ରହିଛି। ଏହାକୁ ରୋକିବା ପାଇଁ ଉଭୟ ଅବକାରୀ ଓ ପୋଲିସ ବିଭାଗ ସଜାଗ ରହିଛି। ଏପରିକି କିଛି ଦିନ ହେବ ସହର ଓ ସହରତଳିରେ ଅବକାରୀ ବିଭାଗ ପକ୍ଷରୁ ଚୋରା ଗଞ୍ଜେଇ ଓ ନକଲି ମଦ ଜବତ ଜାରି ରହିଛି। ଏହି ଧାରାରେ ଶୁକ୍ରବାର ଅବକାରୀ ବିଭାଗ ଗୋପାଳପୁର ଜଙ୍ଗସନରୁ ଏକ କାରରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଳନାରେ ସମ୍ପୃକ୍ତ ଥିବା ଚାରି ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦିଲ୍ଲୀ ବାଦପୁର ଥାନା ଅନ୍ତର୍ଗତ ତୁଘାଲଖଦ ଗ୍ରାମର ମୋହସିନ ଅଂଶାରୀ (୩୨), ଉତ୍ତରପ୍ରଦେଶ ମେରୁଟ ଅଞ୍ଚଳର ଜିତେନ୍ଦ୍ର କୁମାର(୩୪) , ଗଜପତି ଜିଲା ଅଢ଼ବା ଥାନା ଅଞ୍ଚଳର ସୋମନାଥ ରଇତ (୨୪) ବିଧାନ ସିଂ(୨୨)। ଜେରା ବେଳେ ଅଭିଯୁକ୍ତ ମାନେ ଗଜପତି ଜିଲାରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ନୂଆଦିଲ୍ଲୀ ଚାଲାଣ କରିଥାନ୍ତେ ବୋଲି ଅବକାରୀ ପୋଲିସ ଜାଣିବାକୁ ପାଇଛି। ଉପରୋକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଉପ ଆୟୁକ୍ତ (ଦକ୍ଷିଣାଞ୍ଚଳ) ଅଶୋକ କୁମାର ଶତପଥି ସୂଚନା ଦେଇଛନ୍ତି। ଗଜପତିରୁ ବ୍ରହ୍ମପୁର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ଏକ ସୂତ୍ରରୁ ଖବର ମିଳିବା ପରେ ଅବକାରୀ ଟିମ୍‌ ଗୋପାଳପୁରଠାରେ ପାଟ୍ରୋଲିଂ କରୁଥିଲେ। ସେହି ରାସ୍ତା ଦେଇ ଆସୁଥିବା ଏକ ମାରୁତି ଓ୍ବାଗନେର ନମ୍ବର ଡ଼ିଏଲ ୪ସି ଏ ଏମ -୨୧୩୩
କାରକୁ ଉକ୍ତ ଟିମ ଅଟକାଇଥିଲେ। ଯାଞ୍ଚ ବେଳେ ଉକ୍ତ କାରରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଅବକାରୀ ଟିମ କାର ସହ ସେଥିରେ ଥିବା ୧୦୦ କେଜି ଗଞ୍ଜେଇ ଜବତ କରିଥିବା କହିଛି। ଚେକିଂ ବେଳେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏଏସ ଆଇ ବ୍ରଜବିହାରୀ ନାୟକ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।