ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ

ଅନୁଗୋଳ ଅଫିସ, ୨୬।୬

ରୋଗୀଙ୍କୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୮ ଶୀତତାପ ନିୟନ୍ତ୍ରକ (ଏସି) ଲଗାଯାଇଥିଲା। ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ଏଥିପାଇଁ ଅର୍ଥ ନିଆଯାଇଥିବା ବେଳେ ପ୍ରଶାସନର ନିର୍ଦ୍ଦେଶ ଠିକ୍‌ ଭାବେ ପାଳନ କରାଯାଇ ନ ଥିଲା। ଏପରି କି ଏସିଗୁଡ଼ିକ ଲଗାଯାଇଥିଲେ ମଧ୍ୟ ସେଥିରୁ କେତୋଟିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିଲା। ଗତ ୨୧ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଜିଲାର ଅନେକ ଲୋକ ଏ ନେଇ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଜିଲା ପ୍ରଶାସନକୁ ଟୁଇଟ୍‌ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ପ୍ରଶାସନର ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ଜିଲାବାସୀ। ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଡିଏମ୍‌ଏଫ୍‌ର ସଦସ୍ୟ ତଥା ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଜିଲାପାଳଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଏସି ଲଗାଇବାକୁ ଆବଶ୍ୟକ ଅର୍ଥ ଡିଏମ୍‌ଏଫ୍‌ରୁ ଖର୍ଚ୍ଚ କରିବା ପାଇଁ ଜିଲା ଓ ମେଡିକାଲ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କେଉଁ ସ୍ଥାନରେ କେତୋଟି ଏସି ଲାଗିବ ତାହା ପୂର୍ତ୍ତ ବିଭାଗର ଜେନେରାଲ ଇଲେକ୍ଟ୍ରିକ ଡିଭିଜନ୍‌ (ଜିଇଡି) ସ୍ଥିର କରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଥିଲା। ହେଲେ ଜିଇଡିର ବିନା ଅନୁମତିରେ ମେଡିକାଲର ୩ ମହଲା ସର୍ଜରୀ ୱାର୍ଡ, ମେଡିସିନ୍‌ ୱାର୍ଡ, ଲାବରେଟୋରି ଆଦି ସ୍ଥାନରେ ୧୨ଟି, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୮ଟି, ଓପିଡି (ବହିର୍ବିଭାଗ)ରେ ୭ଟି, ଯକ୍ଷ୍ମା ଓ ଛାତି ବିଭାଗ ଓପିଡିରେ ଗୋଟିଏ ଏସି ଲଗାଯାଇଥିଲା। ସେଥିରୁ ୪ଟି ଅକାମି ଥିବାବେଳେ ୮ଟିକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିବା ଜଣାପଡ଼ିଥିଲା।