ସ୍ବକାଷ୍ଟିଂ ସଚଳ ନେଇ ପ୍ରଶ୍ନବାଚୀ

ବଅଁରପାଳ, ୧୫।୨: ନବରତ୍ନପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ଅନୁଗୋଳସ୍ଥିତ ସ୍ମେଲଟର ପ୍ଲାଣ୍ଟ କାଷ୍ଟହାଉସ ବି ପରିସରରେ ୨୦୧୩ ମସିହାରେ ସ୍ଥାପନ ହୋଇଥିଲା ଡାଇରେକ୍ଟ ସ୍ବକାଷ୍ଟିଂ ପ୍ଲାଣ୍ଟ। ନାଲ୍‌କୋର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଅଂଶୁମାନ ଦାସଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। କିନ୍ତୁ ଉଦ୍‌ଘାଟନ ସମୟରେ କୌଣସି କାରଣରୁ ଏଥିରେ ବିସ୍ଫୋରଣ ହେବାରୁ ସିଏମ୍‌ଡି ଓ ୨ ଶ୍ରମିକ ଆହତ ହୋଇଥିଲେ। ସେବେଠାରୁ ଏହା ଆଉ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଏହି ପ୍ଲାଣ୍ଟ ସ୍ଥାପନର ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। ଶ୍ରମିକ ନେତାମାନଙ୍କ କହିବା ଅନୁଯାୟୀ, ଆଲୁମିନିୟମରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଉତ୍ପାଦନ ନିମନ୍ତେ କେତେକ ଛୋଟ ଛୋଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ଡାଇରେକ୍ଟ ସ୍ବକାଷ୍ଟିଂ ପ୍ଲାଣ୍ଟ ଅନ୍ୟତମ। ସ୍ମେଲଟର ପଟ୍‌ଲାଇନରୁ ତରଳ ଆଲୁମିନିୟମ କାଷ୍ଟହାଉସକୁ ଆସିଥାଏ। ସେଠାରେ ଫର୍ନେସରେ ଏହି ତରଳ ଆଲୁମିନିୟମକୁ ଢଳାଯିବା ପରେ ଛାଞ୍ଚ ଦ୍ୱାରା ବିଭିନ୍ନ ସାମଗ୍ରୀ ତିଆରି ହୋଇଥାଏ। ମାତ୍ର ଏପର୍ଯ୍ୟନ୍ତ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏ ସମ୍ପର୍କରେ କାଷ୍ଟହାଉସ ମହାପ୍ରବନ୍ଧକ ଦେବାଶିଷ ଚଟାର୍ଜୀ କହିଛନ୍ତି, ସ୍ବକାଷ୍ଟିଂ ପ୍ଲାଣ୍ଟ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି। ତେବେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରାଯାଉଛି।

 

ପଡ଼ିରହି ନଷ୍ଟ ହେଉଛି
ଦୀର୍ଘବର୍ଷ ହେଲା ସ୍ମେଲଟର ପ୍ଲାଣ୍ଟରେ ଥିବା ୧୦୦ କୋଟି ଟଙ୍କାର ପ୍ଲାଣ୍ଟ ଖତ ଖାଉଛି। ଯେଉଁ ସଂସ୍ଥା ଏହାର କାମ କରିଥିଲା ସେ ଅର୍ଥ ନେଇସାରିଛି। ହେଲେ ଏତେ ଅର୍ଥ ବ୍ୟୟ ସତ୍ତ୍ୱେ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରା ନ ଯିବା ଚିନ୍ତାର ବିଷୟ।
-ନିର୍ମଳ ସାମଲ, ସାଧାରଣ ସମ୍ପାଦକ, ନେସ୍‌
ଉତ୍ପାଦନ ହ୍ରାସ ପାଉଛି
ସ୍ବକାଷ୍ଟିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିଲେ ନାଲ୍‌କୋରୁ ଆଲୁମିନିୟମ ଉତ୍ପାଦନ ନିଶ୍ଚିତ ଅଧିକ ପରିମାଣର ହୋଇଥାନ୍ତା। ହେଲେ ଶହେ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ବି ଏହାକୁ କାର୍ଯ୍ୟକ୍ଷମ କରାଯାଉ ନ ଥିବାରୁ ଉତ୍ପାଦନ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ।
-ମାଙ୍ଗିଲାଲ ସାମଲ, କାର୍ଯ୍ୟକାରୀ ସଭାପତି, ନେପୁ

 

ଉପେନ୍ଦ୍ର ରାଉତ