ପ୍ରଶ୍ନପତ୍ର ଲିକ୍‌ ଭାଇରାଲ ମେସେଜ୍‌କୁ ଖଣ୍ଡନ କଲେ ଏସ୍‌ପି

ବ୍ରହ୍ମପୁର ଅଫିସ,୨୬।୨: ରାଜ୍ୟ ଚୟନ ସମିତି(ଏସ୍‌ଏସ୍‌ବି) ଆନୁକୂଲ୍ୟରେ ଜିଲାସ୍ତରୀୟ ଚୟନ ସମିତି (ଡିଏଲ୍‌ଏସ୍‌ବି)ପକ୍ଷରୁ ରବିବାର କନ୍‌ଷ୍ଟେବଲ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଜିଲାରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ୧୩୯୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିରରେ ୧୨୦୦, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୯୧୨, ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟରେ ୬୨୭ ଏବଂ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ୨୮୯ ଜଣ, ଏପରି ମୋଟ ୪୪୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ କନ୍‌ଷ୍ଟେବଲ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ମେସେଜ୍‌ ଭାଇରାଲ ହୋଇଥିଲା। ଏ ସମ୍ପର୍କରେ ଅବଗତ ହେବାପରେ ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌. ଏହାର ତନାଘନା କରିଥିଲେ। ସୋସିଆଲ ମିଡିଆରେ ଯେଉଁ ପ୍ରଶ୍ନପତ୍ର ଭାଇରାଲ ହେଉଛି ତାହା ଜାଲ୍‌। ତାହା ରବିବାର ପରୀକ୍ଷାର ପ୍ରଶ୍ନପତ୍ର ନୁହେଁ ବୋଲି ତଦନ୍ତରୁ ଜଣାପଡ଼ିଥିଲା। କେହି ଜଣେ ପରୀକ୍ଷାରେ ବାଧା ସୃଷ୍ଟି କରିବାକୁ ଏଭଳି ହୀନ ପ୍ରୟାସ କରିଥିବା ଏସ୍‌ପି କହିଛନ୍ତି।

କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଥିବା ସିଲ୍‌ ବାକ୍ସକୁ ଅଣାଯାଇ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ଏଥିସହ ପ୍ରତି କେନ୍ଦ୍ରରେ ଲାଗିଥିବା ସିସିଟିଭି କ୍ୟାମେରା ସମ୍ମୁଖରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ସିଲ୍‌ ବାକ୍ସ ଖୋଲାଯାଇ ପ୍ରଶ୍ନପତ୍ର ଦିଆଯାଇଛି। ତେଣୁ ପ୍ରଶ୍ନପତ୍ର ଲିକ୍‌ ନେଇ ଭାଇରାଲ୍‌ ହେଉଥିବା ମେସେଜ୍‌ର କୌଣସି ସତ୍ୟତା ନାହିଁ। ଏଭଳି ଜାଲ୍‌ ପ୍ରଶ୍ନପତ୍ର ଭାଇରାଲ୍‌ କରିବାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଜିଲା ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।