ଆବାସ ଚୟନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ

ରସୁଲପୁର,୧୧ା୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳରେ ୨,୪୯୨ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବ। ଏନେଇ ଗାଁସ୍ତରରୁ ବ୍ଲକ୍‌ ପର୍ଯ୍ୟନ୍ତ କସରତ ଚାଲିଛି। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ପଞ୍ଚାୟତସ୍ତରରେ ୩ ଜଣିଆ କମିଟି ଗଠନ କରାଯାଇଛି। ସେମାନଙ୍କ ତଦନ୍ତକୁ ତଦାରଖ ପାଇଁ ଏକ ନୋଡାଲ କମିଟି ଗଠନ କରାଯାଇଛି। ମାତ୍ର ଏ ସବୁ ପରେ ବି ଯୋଗ୍ୟ ଓ ଅଯୋଗ୍ୟ ଦ୍ୱନ୍ଦ୍ୱ ଦୂର ହୋଇପାରୁନାହିଁ। ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ବିଚ୍ୟୁତି ଘଟିଲେ ଅଧିକାରୀଙ୍କୁ ଦାୟୀ କରାଯିବ ବୋଲି ନିୟମରେ ଉଲ୍ଲେଖ ରହିଛି। ତେଣୁ ଏଭଳି ଅଡୁଆ ସ୍ଥିତିରୁ ବଞ୍ଚିବା ପାଇଁ ପ୍ରଶାସନିକସ୍ତରରେ ଗ୍ରାମସଭାକୁ ଢାଲ କରାଯାଉଛି। ମାତ୍ର ଗ୍ରାମସଭାରେ ପ୍ରସ୍ତୁତ ଖସଡ଼ାକୁ ନେଇ ଜନ ସାଧାରଣ ଓ ଜନପ୍ରତିନିଧିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖସଡ଼ାରେ ଲିପିବଦ୍ଧ ହୋଇଥିବା ତଥ୍ୟରେ ତାଲିକାରୁ ବାଦ ପଡ଼ିଥିବା ବ୍ୟକ୍ତିଙ୍କୁ ଆବାସ ମିଳିବ ପାରିବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଫଳରେ ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି ତାଲିକାରୁ ବଞ୍ଚତ୍ତ ବହୁ ବ୍ୟକ୍ତି।
୨୬ ଜାନୁୟାରୀ, ୨୦୨୩ରେ ଅନୁଷ୍ଠିତ ଗ୍ରାମସଭା ଆବାସ ଯୋଜନାର ଯୋଗ୍ୟ ଅଯୋଗ୍ୟ ତାଲିକାକୁ ଉଲ୍ଲେଖ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଉଛି। ଉକ୍ତ ଗ୍ରାମସଭା ଖସଡ଼ାରେ ଆବାସ ତାଲିକାରେ ଥିବା ହିତାଧିକାରୀ, ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଥିବା ଓ ବାଦପଡ଼ିଥିବା ଯୋଗ୍ୟଅଯୋଗ୍ୟ ପରିବାର ନାମକୁ ଉଲ୍ଲେଖ କରାଯିବ। ଏହଛଡ଼ା ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଥିବା ଅଯୋଗ୍ୟଙ୍କ ସମ୍ପର୍କରେ ଆସିଥିବା ଅଭିଯୋଗ, ପଞ୍ଚାୟତ ଅଭିଯୋଗ ବାକ୍ସରୁ ବାହାରିଥିବା ଅଭିଯୋଗ କପି ଆଦି ସମ୍ପର୍କରେ ଗ୍ରାମସଭାରେ ଉଲ୍ଲେଖ ପାଇଁ ବିଧି ରହିଛି। ମାତ୍ର ଗ୍ରାମସଭା ଖସଡ଼ାରେ କ’ଣ ଲିପିବଦ୍ଧ ତାହାକୁ ଗୋପନୀୟ ରଖାଯାଇଛି। ହିତାଧିକାରୀଙ୍କ ଆଧାର, ବ୍ୟାଙ୍କ ଜମାଖାତା, ମୋବାଇଲ ନମ୍ବର ଆଦି ଯୋଡ଼ିବା ଆଳରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯାଉ ନାହିଁ। ଏହାରି ଭିତରେ ପ୍ରକାଶନର ଶେଷ ତାରିଖ ୩୦ ଜାନୁୟାରୀ ଅତିକ୍ରାନ୍ତ ହୋଇସାରିଲାଣି। ଅସ୍ଥିରତା ସ୍ଥିତି ଉପୁଜିବା ଭୟରେ ତାଲିକା ପ୍ରକାଶ କରାଯିବାରେ ବିଳମ୍ବ ହେଉଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଜଣେ ବି ଯୋଗ୍ୟ ହିତାଧିକାରୀ ଆବାସରୁ ଯେପରି ବାଦ ନ ପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ତଦନ୍ତ ଅଧିକାରୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଯୋଗ୍ୟ ଘର ହାତେଇ ଥିବା ପ୍ରମାଣ ମିଳିଲେ ତାଙ୍କ କାର୍ଯ୍ୟାଦେଶକୁ ରଦ୍ଦ କରି ଦିଆଯିବ। ଏପରି କି ଜମାଖାତାକୁ ଟଙ୍କା ଯାଇଥିଲେ, କେସ୍‌ କରି ରିକୋଭରି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏବେ ଦେଖିବାକୁ ଅପେକ୍ଷା ପ୍ରଶାସନ ଘର ବଣ୍ଟନ କ୍ଷେତ୍ରରେ କେତେ ସ୍ବଚ୍ଛତା ଅବଲମ୍ବନ କରୁଛି।