Categories: ଯାଜପୁର

ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରିଟ୍‌ଲାଇଟ୍‌ ବିଦ୍ୟୁତ୍‌ ତାର

ପାଣିକୋଇଲି,୨୩।୫(ବିକାଶ ମଲ୍ଲିକ):ପାଣିକୋଇଲି ୨୦ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଉଜ୍ଜ୍ୱଳ ଆଲୋକ ଜଳୁଛି। ଫଳରେ ଏହା ପାଣିକୋଇଲିର ଶୋଭା ବର୍ଦ୍ଧନ କରିବା ସହ ଲୋକଙ୍କ ରାତ୍ରିକାଳୀନ ଯାତାୟାତରେ ସହାୟକ ହେଉଛି। ରାଜ୍ୟ ବାହାରୁ ବା ବିଭିନ୍ନ ଜିଲାରୁ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ମଧ୍ୟ ଏକପ୍ରକାର ସୁରକ୍ଷା କବଚ ପାଲଟିଛି। ଆଲୋକୀକରଣ ଦ୍ୱାରା ବଜାର ବ୍ୟବସାୟୀ ମଧ୍ୟ ଉପକୃତ ହେଉଛନ୍ତି। ମାତ୍ର ଏହି ଆଲୋକୀକରଣ କରାଯିବାବେଳେ ପ୍ରତିଖୁଣ୍ଟ ନିକଟକୁ ଯାଇଥିବା ବିଦ୍ୟୁତ୍‌ ତାରଗୁଡ଼ିକ ଓଭରବ୍ରିଜ କଡରେ ପଡିରହିଛି। ଏହା ବିପଦସଙ୍କୁଳଭାବେ ପଡ଼ିଥିବାରୁ ଓଚିନ୍ଦା ରୋଡ୍‌ ନିକଟରେ ବହୁ ସମୟରେ ସ୍ପାର୍କିଂ ହୋଇ ନିଆଁ ବାହାରୁଛି। ଫଳରେ ଯାତାୟାତ ସମୟରେ ଯାତ୍ରୀମାନେ ନିଜକୁ ସୁରକ୍ଷା ମଣୁନାହାନ୍ତି। ଅନେକ ସମୟରେ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ୍‌ ସଂଯୋଗ କଟାଯାଉଛି। କିନ୍ତୁ ଏହାର ସ୍ଥାୟୀ ବ୍ୟବସ୍ଥା କରାଯାଉନାହିଁ। ତେଣୁ ଯାତ୍ରୀ ଓ ବ୍ୟବସାୟୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବିଦ୍ୟୁତ୍‌ ତାରକୁ ସ୍ଥାୟୀଭାବେ ଲଗାଇବାକୁ ସାଧାରଣରେ ଦାବି ହୋଇଛି।