କୋଭିଡ୍‌ ଡ୍ୟୁଟିରେ ନିଯୁକ୍ତ ସେବିକାଙ୍କୁ ମିଳୁନି କ୍ୱାରାଣ୍ଟାଇନ ସୁବିଧା

କଟକ ଅଫିସ,୨୩ା୧୦: ଏସ୍‌ସିବି କୋଭିଡ ପରିଚାଳନା କମିଟି ତରଫରୁ ଆଇସୋଲେଶନ ୱାର୍ଡ ନିମନ୍ତେ ଗତ ୨୯ ତାରିଖରେ ନୁଆ ଏସ୍‌ଓପି ଜାରି କରାଯାଇଥିଲା। ତଦନୁଯାୟୀ, ଏସ୍‌ସିବି ଚକ୍ଷୁ ବିଭାଗ କୋଠାରେ ପରିଚାଳିତ ହେଉଥିବା ଆଇସୋଲେସନ ୱାର୍ଡରେ ଅକ୍ଟୋବର ଓ ଅନ୍ୟ ମାସ ନିମନ୍ତେ କାମରେ ନିୟୋଜିତ ହେବାକୁ ଥିବା ଡାକ୍ତର,ସେବିକା ତଥା ଅନ୍ୟ ପାରାମେଡିକାଲ କର୍ମଚାରୀ ୧୦ ଦିନ ଡ୍ୟୁଟି କରି ୬ ଦିନ କ୍ୱାରାଣ୍ଟାଇନରେ ରହିବା କଥା। ୧୦ ଦିନ ଡ୍ୟୁଟି ପରେ କ୍ୱାରାଣ୍ଟାଇନ ଅବଧିର ପ୍ରଥମ ଦିନ କିମ୍ବା ଲକ୍ଷଣ ଦେଖା ଯିବାର ପ୍ରଥମ ଦିନ ମଧ୍ୟରେ ଆରଟିପିସିଆର ପଦ୍ଧତି ଦ୍ୱାରା ସ୍ବାବ ପରୀକ୍ଷା କରାଇବା ଜରୁରୀ। ଏହାପରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ପୁଣି ଡ୍ୟୁଟିରେ ଯୋଗ ଦେବା ପାଇଁ ଅନୁମତି ଦିଆଯାଇପାରିବ ବୋଲି ଲିଖିତ ଭାବେ ନଷ୍ପତ୍ତି ନିଆଯାଇଥିଲା। ହେଲେ ଏହି ନିୟମ ମୁତାବକ କ୍ୱାରାଣ୍ଟାଇନ ସୁବିଧା ଡାକ୍ତରଙ୍କୁ ଦିଆଯାଉଥିବାବେଳେ ସେବିକାମାନଙ୍କୁ ମିଳୁନାହିଁ ବୋଲି ସେବିକା ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ଏନେଇ କେତେଜଣ ସେବିକା ଗୁରୁବାର ଅପରାହ୍ନରେ ନୋଡାଲ ଅଧିକାରୀ ଡା. ମନୋରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅବଗତ କରାଇବାକୁ ଆସିଥିଲେ। କିନ୍ତୁ ନେଡାଲ ଅଧିକାରୀଙ୍କୁ ସାକ୍ଷାତ ନ କରିପାରି ଫେରିଯାଇଛନ୍ତି। ଏ ସମ୍ପର୍କରେ ନୋଡାଲ ଅଧିକାରୀଙ୍କୁ ଯୋଗାଯାଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରୀୟା ମିଳିପାରିନାହିଁ।