ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ ଆମେ ଏକାଧିକ ବାର ଭେଟାଭେଟି ହେଉଥିବାରୁ ସେ ମୋତେ ଭଲ ଭାବରେ ଚିହ୍ନିଥିଲେ। ସେଦିନ ଦେଖୁ ଦେଖୁ କହିଲେ, ”ମାଷ୍ଟ୍ରେ, ସଙ୍ଗଠନ କାମ କେମିତି ଚାଲିଛି ?“ କିଛି ନ କହି ମୁଁ ଚୁପ୍‌ ରହିଲି। ଏଥର ସେ ପୁଣି କହିଲେ, ”ଯାହା କୁହନ୍ତୁ ମାଷ୍ଟ୍ରେ, ଆପଣମାନେ ଯାହା ଚାହୁଁଛନ୍ତି ବା ଆପଣଙ୍କ ସଙ୍ଗଠନ ଯାହା ନାରା ଦେଉଛି ତାହା କ’ଣ ସମ୍ଭବ? ସମସ୍ତେ ଉଚ୍ଚ ଶିକ୍ଷା ପ୍ରାପ୍ତ ହେବା କ’ଣ ଆବଶ୍ୟକ ? ଉଚ୍ଚ ଶିକ୍ଷା ଲାଭ କରି ସାରିବା ପରେ ସଭିଏଁ ନିଯୁକ୍ତି ଚାହିଁବେ। ସମସ୍ତଙ୍କୁ ନିଯୁକ୍ତି ଦେବା କ’ଣ ସମ୍ଭବ? ଯାହାର ଭାଗ୍ୟରେ ନାହିଁ ସେ ବି ଉଚ୍ଚ ଶିକ୍ଷିତ ହେଉ ଏବଂ ସମସ୍ତଙ୍କୁ ସରକାର ମାଗଣାରେ ଶିକ୍ଷା ପ୍ରଦାନ କରନ୍ତୁ, ଏହା ଠିକ୍‌ କଥା ନୁହେଁ। ତା’ପରେ ସରକାର ଯଦି ସବୁକଥା କରିବେ, ମାତାପିତାଙ୍କର କ’ଣ କିଛି ଦାୟିତ୍ୱ ନାହିଁ “
ପରବର୍ତ୍ତୀ ସମୟରେ ମହାଶୟଙ୍କ କଥାଗୁଡ଼ିକ ମୋତେ ଆନ୍ଦୋଳିତ କଲା। ସମସ୍ତେ ଉଚ୍ଚ ଶିକ୍ଷିତ ନ ହୁଅନ୍ତୁ ଥିଲା ତାଙ୍କର ମତ। ଶିକ୍ଷିତ ହେବା ନ ହେବା ଭାଗ୍ୟ ଉପରେ ନିର୍ଭର କରେ। କେବଳ ଯେଉଁମାନେ ଖୁବ୍‌ ମେଧାବୀ ସେମାନେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି। ଏହି କଥାଗୁଡ଼ିକର ଯୌକ୍ତିକତା ସମ୍ପର୍କରେ ଆଲୋଚନା କରିବାକୁ ହେଲେ ଶିକ୍ଷାର ଇତିହାସ ବା ‘ହିଷ୍ଟ୍ରି ଅଫ୍‌ ଏଜୁକେଶନ’ର ପୃଷ୍ଠା ଲେଉଟାଇବା ଆବଶ୍ୟକ। ତେବେ ଇତିହାସକୁ ଯିବା ପୂର୍ବରୁ ମେଧାବୀ ସମ୍ପର୍କରେ ଆଲୋଚନା କରାଯାଉ। ମେଧାବୀ କିଏ ଏବଂ କେମିତି ହୁଅନ୍ତି ? ମେଧାବୀ ହେବା ଏକ ଅଲୌକିକ ଶକ୍ତିର ଇଚ୍ଛାଧୀନ ବିଷୟ ନା ପ୍ରାଲବ୍ଧ ନା କ୍ରମବିକାଶ ପ୍ରକ୍ରିୟା? ସୁବିଧା, ସୁଯୋଗ, ସହଯୋଗ, ସମର୍ଥନ, ସହାୟତା, ସହାନୁଭୂତି ବିନା ଏହି ବିକାଶ କ’ଣ ସମ୍ଭବ?
ଏବେ ଟିକିଏ ଅତୀତକୁ ଯିବା, ଯାହାକୁ ଆମେ ତିନୋଟି ଭାଗରେ ବିଭକ୍ତ କରିପାରିବା। ପ୍ରଥମଟି ବ୍ରିଟିଶ ଶାସନର ପୂର୍ବ ସମୟ, ଦ୍ୱିତୀୟରେ ବ୍ରିଟିଶ ଶାସନ କାଳୀନ ସମୟ ଏବଂ ଶେଷରେ ସ୍ବାଧୀନତା ପରବର୍ତ୍ତୀ ସମୟ। ବ୍ରିଟିଶ ଶାସନର ପୂର୍ବବର୍ତ୍ତୀ ରାଜା ରାଜୁଡ଼ାଙ୍କ ସମୟରେ କ୍ଷମତା ହସ୍ତାନ୍ତର ବଂଶାନୁକ୍ରମ ଆଧାରରେ ହେଉଥିଲା। ସମାନ ଭାବେ ଶିକ୍ଷା ପ୍ରଦାନ ଓ ଗ୍ରହଣର ଅଧିକାର ଉଚ୍ଚ ସମ୍ପ୍ରଦାୟଙ୍କ ଭିତରେ ସୀମିତ ଥିଲା। ଏହାର ହାର ନଗଣ୍ୟତର ଥିଲା। ଅବଶ୍ୟ କିଛି ଲୋକ ଯୁକ୍ତି କରନ୍ତି ଆମ ଦେଶ ଶିକ୍ଷା କ୍ଷେତ୍ରରେ ବେଶ୍‌ ଅଗ୍ରଣୀ ଥିଲା। ଶତପ୍ରତିଶତ ଲୋକେ ଶିକ୍ଷିତ ଥିଲେ। ବହୁ ଦେଶରୁ ଛାତ୍ରମାନେ ଉଚ୍ଚ ଶିକ୍ଷା ଲାଭ ପାଇଁ ଏଠାକୁ ଆସୁଥିଲେ। କିନ୍ତୁ ଏହି ଯୁକ୍ତି ବିତର୍କ ପରିସର ଭୁକ୍ତ। ୧୭୫୭ ରୁ ୧୯୪୭ ଯାହାକୁ ଆମେ ବ୍ରିଟିଶରାଜ୍‌ ବୋଲି କହିଥାଉ, ସେହି ସମୟରେ ସେମାନଙ୍କର ଶାସନ ବ୍ୟବସ୍ଥାକୁ ଚଳେଇବା ପାଇଁ ସେମାନେ କିଛି ଭାରତୀୟଙ୍କ ଆବଶ୍ୟକତା ଅନୁଭବ କରିଥିଲେ। ତାକୁ ଲକ୍ଷ୍ୟ କରି ସେମାନେ ଇଂରାଜୀ ଶିକ୍ଷାର ପ୍ରଚଳନ କରିଥିଲେ ଏବଂ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହେବାକୁ ହେଲେ ଯୋଗ୍ୟତା ହାସଲ କରିବାକୁ ହେବ ତାହା ପୁଣି ଲିଖିତ ପରୀକ୍ଷା ମାଧ୍ୟମରେ ନିୟମ କରିଥିଲେ। ଅର୍ଥାତ୍‌ କହିବାକୁ ଗଲେ ବଂଶବାଦର ପ୍ରାଧାନ୍ୟ ଉପରେ କିଛିଟା ରୋକ ଲାଗିଲା। କିନ୍ତୁ ସାମାଜିକ ତଥା ଆର୍ଥିକ ଅନଗ୍ରସରତାର ବ୍ୟାଧି ଭୋଗୁଥିବା ବ୍ୟକ୍ତିମାନେ ଏଥିରେ କାଣିଚାଏ ଉପକୃତ ହେଲେ ନାହିଁ। ମ୍ୟାକୁଲେଙ୍କ ଶିକ୍ଷାନୀତି ୧୮୩୫ ଠାରୁ ୧୯୪୭ ପର୍ଯ୍ୟନ୍ତ ଏହି ୧୧୨ ବର୍ଷକୁ ଅନୁଧ୍ୟାନ କଲେ ଆମକୁ ବୁଝିବାରେ କିଛି ଅସୁବିଧା ହେବ ନାହିଁ।
ଏହି ଆଲୋଚନାକୁ ଟିକିଏ ସୁଗମ କରିବା ପାଇଁ ସ୍ବାଧୀନତା ପ୍ରାପ୍ତି ସମୟରେ ଆମ ରାଜ୍ୟର ପରିମାଣାତ୍ମକ ଶିକ୍ଷାର ଚିତ୍ରକୁ ଥୋଇବା ଉଚିତ ହେବ। ୧୯୪୭ ବେଳେ ଆମ ରାଜ୍ୟର ସାକ୍ଷରତା ହାର ଥିଲା ୯ ଶତକଡ଼ାରୁ ସାମାନ୍ୟ ଅଧିକ। ୧୯୫୧ରେ ହୋଇଥିବା ଅଷ୍ଟମ ଜନଗଣନାରେ ତଥ୍ୟ ଆସିଲା ଏହା ବୃଦ୍ଧି ପାଇ ୧୫.୮ ପ୍ରତିଶତରେ ପହଞ୍ଚିଛି। ୧୯୭୧ ଦଶମ ଜନଗଣନା ଓ ୨୦୦୧ ତ୍ରୟୋଦଶ ଜନଗଣନା ବେଳକୁ ଏହି ହାର ଥିଲା ଯଥାକ୍ରମେ ୩୦.୫ ପ୍ରତିଶତ ଓ ୬୩.୦୮ ପ୍ରତିଶତ। ୨୦୨୪ ବେଳକୁ ଆମ ରାଜ୍ୟର ସାକ୍ଷରତା ହାର ୭୯ ପ୍ରତିଶତ ବୋଲି ସରକାରୀ ତଥ୍ୟ। ଅର୍ଥାତ୍‌ ଏବେ ବି ୧୦୦ରେ ୨୧ ଜଣ ଲେଖିପଢ଼ି ପାରନ୍ତି ନାହିଁ। ତା ହେଲେ ଆମେ କ’ଣ ଧରିନେବା ଏହି ଏକ ପଞ୍ଚମାଂଶ ଲୋକଙ୍କ କପାଳରେ ଲେଖାପଢ଼ାର ଯୋଗ ନାହିଁ ? ଭାଗ୍ୟ ଦୋଷରୁ ସେମାନେ ନିରକ୍ଷର?
ଉଚ୍ଚ ଶିକ୍ଷାର ଚିତ୍ର ଆହୁରି ଦୟନୀୟ। ସ୍ବାଧୀନତା ଲାଭ କରିବା ସମୟରେ ଆମ ରାଜ୍ୟରେ ଥିଲା ଗୋଟିଏ ମାତ୍ର ବିଶ୍ୱବିଦ୍ୟାଳୟ ଏବଂ ୧୨ଟି ମହାବିଦ୍ୟାଳୟ। ସମଗ୍ର ଓଡ଼ିଶାରେ ସର୍ବମୋଟ୍‌ ୩୮୮୫ ଜଣ ବିଦ୍ୟାର୍ଥୀ ସେମାନଙ୍କ ମଧ୍ୟରେ ମାତ୍ର ୨୧୯ ଜଣ ଛାତ୍ରୀ ଉଚ୍ଚ ଶିକ୍ଷାରେ ଅଧ୍ୟୟନ କରୁଥିଲେ। ୨୦୨୦ ରେ ପରିସଂଖ୍ୟାନ କହୁଛି ୨୧ ପ୍ରତିଶତ ପିଲା ଆମ ରାଜ୍ୟରେ ଉଚ୍ଚଶିକ୍ଷାର ବଳୟ ଭିତରକୁ ପ୍ରବେଶ କରିପାରିଛନ୍ତି। ତେବେ କ’ଣ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ, ପାଞ୍ଚ ଭାଗରୁ ଚାରି ଭାଗ ପିଲାଙ୍କ ଭାଗ୍ୟରେ ଉଚ୍ଚଶିକ୍ଷା ପାଇବା ଲେଖାନାହିଁ , କି ଏମାନେ କେହି ମେଧାବୀ ନୁହନ୍ତି ? ନା, ବରଂ କୁହାଯାଇପାରେ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଅନେକଙ୍କୁ ବାଧ୍ୟ କରିଛି ଉଚ୍ଚଶିକ୍ଷାଠାରୁ ଦୂରେଇ ନେବାକୁ। ଆଉ କେତେବେଳେ ଭିତ୍ତିଭୂମିର ଅଭାବ ଅନେକଙ୍କୁ ବଞ୍ଚିତ କରିଛି। କିନ୍ତୁ ଆମକୁ ଏକମତ ହେବାକୁ ପଡ଼ିବ ଆଜି ଦିନରେ ଯେଉଁ ସାକ୍ଷରତା ହାର ୯ ରୁ ବୃଦ୍ଧି ହୋଇ ୭୯ ପ୍ରତିଶତରେ ପହଞ୍ଚି ପାରିଛି, ତାହା ସମ୍ଭବ ହୋଇଛି କେବଳ ସାର୍ବଜନୀନ ଶିକ୍ଷାକୁ ଗୁରୁତ୍ୱ ଦେବା ଯୋଗୁ। ଆଉ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ଆଖିଦୃଶିଆ ନ ହେଲେ ମଧ୍ୟ ଯେଉଁ ୨୧ ପ୍ରତିଶତରେ ପହଞ୍ଚିଛି ତାହା ବି ହୁଅନ୍ତା ନାହିଁ ଯଦି ଭାଗ୍ୟ, ଭଗବାନ, ଭବିତବ୍ୟ ଉପରେ ବିଶ୍ୱାସ କରି ଆମେ ଚୁପ୍‌ ବସିଥାନ୍ତୁ।
କିନ୍ତୁ ସ୍ବାଧୀନତା ପରେ ଯେଉଁ ପରିମାଣାତ୍ମକ ଶିକ୍ଷା ଅର୍ଥାତ୍‌ ସମସ୍ତଙ୍କୁ ଶିକ୍ଷିତ କରିବା ଉପରେ ଆମର ଗୁରୁତ୍ୱ ଥିଲା ନବେ ଦଶକ ପରେ ତାହା ବଦଳିଗଲା। ପ୍ରାଥମିକଠାରୁ ଉଚ୍ଚଶିକ୍ଷା ସବୁଠି ଗୁଣାତ୍ମକ ଶିକ୍ଷା ଉପରେ ଜୋର୍‌ ଦିଆଗଲା। ମନରେ କୌତୂହଳ ଜନ୍ମେ, ଶିକ୍ଷା ତ ଶିକ୍ଷା, ପୁଣି ଗୁଣାତ୍ମକ ଶିକ୍ଷା କ’ଣ? ଶିକ୍ଷା କ୍ଷେତ୍ରରେ ଏହି ଶବ୍ଦର ପ୍ରୟୋଗ ଏହାର ଗୁଣବତ୍ତାରେ କିଛି ପରିବର୍ତ୍ତନ ଆଣିପାରୁ ବା ନ ପାରୁ ବ୍ୟବସାୟ କ୍ଷେତ୍ରରେ ଏହା ବେଶ୍‌ ତାପର୍ଯ୍ୟପୂର୍ଣ୍ଣ ହେଲା ଏବଂ କ୍ରେତାମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହେଲା। ଏହା ଘରୋଇ ଶିକ୍ଷାକୁ ପ୍ରୋତ୍ସାହନ ଯୋଗାଇଲା। କେଉଁଠି ଗୁଣାତ୍ମକ ଶିକ୍ଷା ଦିଆଯାଉଛି ଲୋକେ ଖୋଜିବା ଆରମ୍ଭ କଲେ। ବିଦ୍ୟାଳୟ ସମ୍ମୁଖରେ ରଙ୍ଗ ବେରଙ୍ଗର ଛବିଳ ପ୍ରାଚୀର ପତ୍ର, ହୋର୍ଡିଂ ଲଗାଇ ଛାତ୍ରାଭିଭାବକଙ୍କୁ ଆକୃଷ୍ଟ କରାଗଲା। ବୋଧହୁଏ ଗୁଣାତ୍ମକ ଶିକ୍ଷାର ମାପକାଠି ହେଲା ବିଗତ ପରୀକ୍ଷାଗୁଡ଼ିକରେ ପାସ୍‌ ହାର ଏବଂ ଛାତ୍ରୀଛାତ୍ରମାନେ ରଖିଥିବା ନମ୍ବର। ତା’ର ଲମ୍ବା ତାଲିକା ଥିବା ପୋଷ୍ଟର ଲାଗିଲା ଗାଁ, ସହର ସବୁଠି। ଆଉ ପାଦେ ଆଗକୁ ଯାଇ କିଛି ସେମାନଙ୍କ ଶିକ୍ଷାନୁଷ୍ଠାନରୁ କେତେଜଣ ଡାକ୍ତରୀ, ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ତା’ର ସବିଶେଷ ବିବରଣୀ ଥୋଇଲେ ଲୋକଙ୍କ ସାମ୍‌ନାରେ। ଫଳରେ ଦେୟମୁକ୍ତ ଶିକ୍ଷା ଉପରୁ ଭରସା ହରାଇ ଲୋକେ ଦେୟଯୁକ୍ତ ଶିକ୍ଷା ଆଡ଼କୁ ଧାଇଁଲେ। କିନ୍ତୁ ଦେଖାଯାଉଛି ଏହି ଗୁଣାତ୍ମକ ଭୂତଟା ଯେଉଁ ଦିନଠାରୁ ଆସିଛି ସେହି ଦିନଠାରୁ ପାଠ ଛାଡ଼ିବା ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ଦେଖିବାକୁ ଗଲେ ଗୁଣାତ୍ମକ ଶିକ୍ଷାର ପ୍ରଚାର କେବଳ ଚାଲିଛି। ତାହା ହୋଇ ନ ଥିଲେ ୮୦ ପ୍ରତିଶତ ପିଲା ଉଚ୍ଚ ଶିକ୍ଷାଠାରୁ ଦୂରେଇ ଯାଇ ନଥାନ୍ତେ।
ଆମ ନିକଟରେ ପ୍ରଥମ ଚ୍ୟାଲେଞ୍ଜ ହେଉଛି ସମସ୍ତେ କେମିତି ଶିକ୍ଷିତ ହେବେ, ତାହା ଗୁଣାତ୍ମକ ଶିକ୍ଷା ନାମରେ ହେଉ କିମ୍ବା ମୌଳିକ ଶିକ୍ଷା। କିଏ କହିବ ଯେଉଁମାନଙ୍କ ନିକଟରେ ଶିକ୍ଷାଲୋକ ଏଯାଏ ପହଞ୍ଚି ପାରିନି ସେମାନେ ଅସୀମ ଗୁଣର ଅଧିକାରୀ ବୋଲି? ମନେ ରଖିବାକୁ ପଡ଼ିବ ପ୍ରଥମେ ଶିକ୍ଷା, ତା’ପରେ ଗୁଣାତ୍ମକ ଶିକ୍ଷା।

ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri