Categories: ଜାତୀୟ

ଭାରତର ଆଭିମୁଖ୍ୟ ଗ୍ରହଣ କରିଛି କ୍ୱାଡ୍‌

ନୂଆଦିଲ୍ଲୀ, ୨୨ା୩: ୟୁକ୍ରେନ୍‌-ରୁଷିଆ ପ୍ରସଙ୍ଗରେ ଭାରତର ନିରପେକ୍ଷ ଆଭିମୁଖ୍ୟକୁ କ୍ୱାଡ୍‌ ଦେଶ ଗ୍ରହଣ କରିଛନ୍ତି ବୋଲି ଅଷ୍ଟ୍ରେଲିଆ କହିଛି। ୟୁକ୍ରେନ୍‌ରେ ଯୁଦ୍ଧ ରୋକିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସମସ୍ତ ସମ୍ପର୍କକୁ ବ୍ୟବହାର କରୁଥିବା ନୂଆଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବ୍ୟାରି ଓ’ଫାରେଲ୍‌ କହିଛନ୍ତି। ଏଥିସହ ନରେନ୍ଦ୍ର ମୋଦି ଓ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ୍‌ ମୋରିସନ୍‌ ସୋମବାର ଭର୍ଚୁଆଲ ସମିଟ୍‌ରେ ୟୁରୋପ ସ୍ଥିତି, ଭାରତ-ପ୍ରଶାନ୍ତ ମହାସାରଗୀୟ ଅଞ୍ଚଳରେ ସ୍ଥିରତା, ପ୍ରତିରକ୍ଷା, ସାମୁଦ୍ରିକ ସହଯୋଗ, ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଆଦି ବାବଦରେ ଆଲୋଚନା କରିଛନ୍ତି।
ଶାନ୍ତି ଏବଂ ବୈଶ୍ୱିକ ସ୍ଥିରତା ପାଇଁ କ୍ୱାଡ୍‌ର ସଫଳତା ଜରୁରୀ ବୋଲି ମୋଦି କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ଏବଂ ସ୍ବାଧୀନ ରଖିବା ଦିଗରେ କ୍ୱାଡ୍‌ ପ୍ରତିବଦ୍ଧ। ଏଥିସହ ଭାରତକୁ ୨୯ ପ୍ରାଚୀନ ମୂର୍ତ୍ତି ଫେରାଇବା ନିମନ୍ତେ ଅଷ୍ଟ୍ରେଲିଆର ପଦକ୍ଷେପକୁ ମୋଦି ପ୍ରଶଂସା କରିଥିଲେ। ମୋଦିଙ୍କ ସହ ଆଲୋଚନାବେଳେ ମୋରିସନ୍‌ ୟୁକ୍ରେନ୍‌ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଗ୍ରହଣ କରିଥିବା ବହିର୍ବ୍ୟାପାର ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଏଥିରେ ଭାରତର ପରିସ୍ଥିତି ଓ ନିଜସ୍ବ ଚିନ୍ତାଧାରା ପ୍ରତିଫଳିତ ହୋଇଛି। ୟୁରୋପର ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମୋରିସନ୍‌ ମୋଦିଙ୍କ ସହ ଆଲୋଚନାବେଳେ କହିଛନ୍ତି। ସୂଚନାଯୋଗ୍ୟ, ଏସିଆରେ ଚାଇନାର ପ୍ରଭାବକୁ ପ୍ରତିହତ କରିବା ପାଇଁ ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ଜାପାନ କ୍ୱାଡ୍‌ ମେଣ୍ଟ ଗଠନ କରିଛନ୍ତି।

Share