ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍ (ଆଣ୍ଟିମାଇକ୍ରୋବିଆଲ), ଟିକା (ଭାକ୍ସିନ), କର୍କଟ ବା କ୍ୟାନ୍ସର ରୋଗର ଔଷଧ ଏବଂ ସ୍ନାୟୁଜନିତ ସମ୍ବେଦନଶୀଳ (ନାର୍କୋଟିକ ଓ ସାଇକୋଟ୍ରୋପିକ୍) ଔଷଧ ଉପରେ ‘କ୍ୟୁଆର୍ କୋଡ୍’ ବା ବାର୍ କୋଡ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ପ୍ରସ୍ତୁତି କେନ୍ଦ୍ରରୁ ନେଇ ଗ୍ରାହକଙ୍କ ପାଖକୁ ପହଞ୍ଚିବା ପର୍ଯ୍ୟନ୍ତ ଔଷଧର ସ୍ବଚ୍ଛତା ଓ ସତ୍ୟତା ସହଜରେ ଯାଞ୍ଚ କରାଯାଇପାରିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୯୪୫ ମସିହାର ‘ଔଷଧ ନିୟମାବଳୀ’ରେ ଏହି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇ ଏହି ସମସ୍ତ ଔଷଧକୁ ବିଶେଷ ସୂଚୀ ବା ‘ସେଡ୍ୟୁଲ ଏଚ୍୨’ ଅଧୀନକୁ ଅଣାଯାଇଛି।
ନୂତନ ନିୟମ ଅନୁଯାୟୀ, ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ଔଷଧର ମୁଖ୍ୟ ପ୍ୟାକେଜିଂ ଲେବଲ ଉପରେ କିମ୍ବା ସ୍ଥାନର ଅଭାବ ଥିଲେ ଏହାର ବାହ୍ୟ ପ୍ୟାକେଜ୍ (ସେକେଣ୍ଡାରି ପ୍ୟାକେଜିଂ) ଉପରେ କ୍ୟୁଆର୍ କୋଡ୍ ପ୍ରିଣ୍ଟ କରିବାକୁ ପଡ଼ିବ। ଏହି କୋଡ୍କୁ ସ୍ବତନ୍ତ୍ର ସଫ୍ଟୱେର୍ ଆପ୍ଲିକେଶନ ମାଧ୍ୟମରେ ସ୍କାନ୍ କରି ସପ୍ଲାଇ ଚେନ୍ର ଯେକୌଣସି ସ୍ତରରେ ଯାଞ୍ଚ କରାଯାଇପାରିବ। ଏହି କ୍ୟୁଆର୍ କୋଡ୍ ମଧ୍ୟରେ କେତେକ ପ୍ରମୁଖ ସୂଚନା ରହିବ, ଯେପରିକି ଔଷଧର ସ୍ବତନ୍ତ୍ର ଚିହ୍ନଟ ସଂଖ୍ୟା (ଆଇଡେଣ୍ଟିଫିକେଶନ କୋଡ୍), ଔଷଧର ବ୍ରାଣ୍ଡ ନାମ ଏବଂ ଏହାର ରାସାୟନିକ ବା ଜେନେରିକ୍ ନାମ, ପ୍ରସ୍ତୁତକାରୀ କମ୍ପାନୀର ନାମ ଓ ଠିକଣା, ବ୍ୟାଚ୍ ସଂଖ୍ୟା, ଔଷଧ ପ୍ରସ୍ତୁତି ଓ ଏକ୍ସପାଏରି ତାରିଖ ଏବଂ ଉତ୍ପାଦନ ଲାଇସେନ୍ସ ସଂଖ୍ୟା।
ମନ୍ତ୍ରଣାଳୟ ଅନୁଯାୟୀ, ପୂର୍ବରୁ ଏହି ନିୟମ କେବଳ ଦେଶର ଶୀର୍ଷ ୩୦୦ଟି ପ୍ରତିଷ୍ଠିତ ଔଷଧ ବ୍ରାଣ୍ଡ୍ ପାଇଁ ଲାଗୁ ହୋଇଥିଲା। ମାତ୍ର ବର୍ତ୍ତମାନ ଏହାର ପରିସରକୁ ବ୍ୟାପକ କରାଯାଇ ୧୯୮୫ ମସିହାର ‘ଏନ୍ଡିପିଏସ୍’ ଆକ୍ଟ ଅଧୀନରେ ଆସୁଥିବା ସମସ୍ତ ସ୍ନାୟୁ ସମ୍ବନ୍ଧୀୟ ଔଷଧ ସମେତ ଟିକା ଓ କର୍କଟ ଔଷଧକୁ ସାମିଲ କରାଯାଇଛି। ଔଷଧ କମ୍ପାନୀଗୁଡ଼ିକୁ ଏହି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାର ପର୍ଯ୍ୟାୟକ୍ରମେ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଟିକା, କର୍କଟ ରୋଗ ଔଷଧ ଏବଂ ସ୍ନାୟୁ ଜନିତ ସମ୍ବେଦନଶୀଳ ଔଷଧ ପାଇଁ ଏହି ନିୟମ ଚଳିତ ବର୍ଷ ଜୁଲାଇ ୧ରୁ ଲାଗୁ ହେବ। ସେହିପରି ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକ ପାଇଁ ଏହି ବ୍ୟବସ୍ଥା ୨୦୨୮ ଜୁଲାଇ ୧ରୁ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ ହେବ। ଏହି ବ୍ୟବସ୍ଥା ଦେଶରେ ନକଲି ଔଷଧ କାରବାରକୁ ରୋକିବା ସହ ଆଣ୍ଟିବାୟୋଟିକ୍ ପ୍ରତି ଶରୀରରେ ସୃଷ୍ଟି ହେଉଥିବା ପ୍ରତିରୋଧକ ଶକ୍ତି ବା ଆଣ୍ଟିମାଇକ୍ରୋବିଆଲ ରେଜିଷ୍ଟାନ୍ସ (ଏଏମ୍ଆର୍) ସମସ୍ୟାର ମୁକାବିଲା କରିବାରେ ବେଶ୍ ସହାୟକ ହେବ।