ପ୍ୟାର କିୟା କୋଇ ଚୋରି ନେହିଁ ହୈ…

ମୁମ୍ବାଇ: ଦିନେ ବଲିଉଡରେ ସୁନ୍ଦରୀ ଅଭିନେତ୍ରୀ ଭାବେ ସ୍ବତନ୍ତ୍ର ପରିଚିତି ହାସଲ କରିଥିବା ମଧୁବାଲାଙ୍କ ଜନ୍ମଦିନ ରବିବାର ପାଳିତ ହେଉଛି। ୧୯୩୩ ଫେବୃୟାରୀ ୧୪ରେ ଦିଲ୍ଲୀଠାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରାନାମ ବେଗମ ମୁମତାଜ ଜାହାଁ ଦେହଲବି ଥିଲା। ମଧୁବାଲାଙ୍କର ଘରେ ଭାଇ ଭଉଣୀ ମିଶି ସେମାନେ ୧୧ ଜଣ ଥିଲେ। ଏତେ ବଡ଼ ପରିବାରକୁ ଚଳାଇବା ତାଙ୍କ ବାପାଙ୍କ ପାଇଁ କଷ୍ଟକର ଥିଲା। ଘରର ଆର୍ଥିକ ସ୍ଥତି ସ୍ବଚ୍ଛଳ ନ ଥିବାରୁ ମଧୁବାଲା ୧୪ ବର୍ଷ ବୟସରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ସେତେବେଳେ ଫିଲ୍ମରେ ଅଭିନୟ କରିବାକୁ ସମାଜରେ କେତେକ ଲୋକଙ୍କୁ ପସନ୍ଦ ହେଉ ନ ଥିଲା। ୧୯୪୨ରେ ସେ ପ୍ରଥମ କରି ବସନ୍ତ ଫିଲ୍ମରେ ଅଭିନୟ କରିଥିଲେ। ୧୯୪୭ରେ ଦେବିକା ରାଣୀ ତାଙ୍କର ନାମ ମଧୁବାଲା ରଖିଥିଲେ। ମଧୁବାଲା ୭୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ମୁଗଲ-ଇ-ଆଜମ ଶୁଟିଂ ସେଟ୍‌ରେ ଦିଲ୍ଲୀପ କୁମାରଙ୍କ ପ୍ରତି ସେ ଆକର୍ଷିତ ହୋଇ ପଡ଼ିଥିଲେ। ଦୁହିଁଙ୍କ ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ପରେ ଦୁହେଁ ପରସ୍ପରଠାରୁ ଦୂରେଇ ଯାଇଥିଲେ। ୧୯୬୦ରେ ମଧୁବାଲା କିଶୋର କୁମାରଙ୍କୁ ବିବାହ କରିଥିଲେ। ମୁଗଲ-ଇ-ଆଜମର ଜବ୍‌ ପ୍ୟାର୍‌ କିୟା ତୋ ଡରନା କିୟା, ପ୍ୟାର କିୟା କୋଇ ଚୋରି ନେହିଁ ହୈ… ଏବଂ ଚଲତି କା ଗାଡ଼ି ଫିଲ୍ମର ଏକ ଲଡ଼କୀ ଭିଗି ଭାଗି ସି… ଗୀତ ଏବେ ବି ଦର୍ଶକଙ୍କୁ ଭାବୁକ କରି ଦେଇଥାଏ। ଅଭିନୟରେ ଦକ୍ଷତା ହାସଲ କରିଥିବା ମଧୁବାଳା ହୃଦରୋଗରେ ପୀଡିତ ହୋଇ ୧୯୬୯ ଫେବୃୟାରୀ ୨୩ରେ ୩୬ ବର୍ଷ ବୟସରେ ମୁମ୍ବାଇଠାରେ ଦେହତ୍ୟାଗ କରିଥିଲେ। ତାଙ୍କୁ ସାଣ୍ଟାକ୍ରୁଜ୍‌ର ଜୁହୁଠାରେ କବର ଦିଆଯାଇଥିଲା।

Share