Categories: ଖେଳ

ଲି’ଙ୍କୁ ହରାଇବା ସିନ୍ଧୁଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ

ମୂମ୍ବାଇ, ୨୭ା୭ (ପି.ଟି.): ଚାଇନା ଓପନ୍‌ ୨୦୧୨ରେ ତତ୍‌କାଳୀନ ଅଲିମ୍ପିକ ଚାମ୍ପିୟନ ଲି’ ଜୁରେଇଙ୍କୁ ପରାସ୍ତ କରିବା ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା ବୋଲି କହିଛନ୍ତି ବିଶ୍ୱ ଚାମ୍ପିୟନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ। ସେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଖେଳ ଆରମ୍ଭରେ ମୁଁ ବିଫଳ ରହିଥିଲି। ମାତ୍ର ଚାଇନା ମାଷ୍ଟର୍ସ କ୍ୱାର୍ଟରଫାଇନାଲରେ ତତ୍‌କାଳୀନ ଲଣ୍ଡନ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ଲି’ଙ୍କୁ ପରାସ୍ତ କରିବା ପରେ ମୋର ଭାଗ୍ୟୋଦୟ ଘଟିଥିଲା। ସେତେବେଳେ ମୋତେ ମାତ୍ର ୧୬ ବର୍ଷ ବୟସ ହୋଇଥିଲା। ଏହାର ପରବର୍ତ୍ତୀ ବର୍ଷ ମୁଁ ସମ୍ମାନଜନକ ବିଶ୍ୱ ଚାମ୍ପିୟନଶିପ୍‌ରେ ପ୍ରଥମ ଥର ବ୍ରୋଞ୍ଜ ପଦକ ହାସଲ କରିଥିଲି। ଇତିମଧ୍ୟରେ ଏହି ଟୁର୍ନାମେଣ୍ଟରେ ୫ ପଦକ (୧ ସ୍ବର୍ଣ୍ଣ ୨ ରୌପ୍ୟ ଓ ୨ ବ୍ରୋଞ୍ଜ) ଲାଭ କରିସାରିଲିଣି। ଏହାଛଡ଼ା ୪ ବର୍ଷ ପୂର୍ବେ ରିଓ ଡି’ ଜେନିରୋରେ ଅଲିମ୍ପିକ ରୌପ୍ୟ ହାସଲ କରିଛି। ସିନ୍ଧୁ କହିଛନ୍ତି, ଆରମ୍ଭରେ ସେ ଭଲ ଖେଳୁଥିଲେ। ହେଲେ ତାଙ୍କ ଖେଳ ଅନ୍ତର୍ଜାତୀୟ ମାନର ନ ଥିଲା। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ତାଙ୍କୁ କ୍ୱାଲିଫାଇଂ ଅବା ପ୍ରଥମ ରାଉଣ୍ଡରୁ ବିଦାୟ ନେବାକୁ ପଡ଼ୁଥିଲା। କଠିନ ପରିଶ୍ରମ ସହ ଦୋଷ ଦୁର୍ବଳତାରେ ସୁଧାର ନ ଆଣିପାରିଲେ ଆଗକୁ ବଢ଼ିବା ସମ୍ବବ ନୁହେଁ ବୋଲି ତାଙ୍କର ଦୃଦ୍‌ବୋଧ ହୋଇଥିଲା। ଦିନକୁ ଦିନ ସେ ତାଙ୍କ ଖେଳରେ ଉନ୍ନତି ଆଣିବା ଲାଗି ଚେଷ୍ଟା ଜାରି ରଖିଲେ। ପୂର୍ବାପେକ୍ଷା ଅଧିକ ପରିଶ୍ରମ ମଧ୍ୟ କଲେ। ଟେବୁଲ ଟେନିସ ଖେଳାଳି ମୁଦିତ୍‌ ଦାନିଙ୍କ ସହିତ ‘ଇନ୍‌ ଦ ସ୍ପୋଟର୍‌ସ ଲାଇଟ୍‌’ ଶୀର୍ଷକ ଏକ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ଭାଗ ନେଇ ସିନ୍ଧୁ କହିଛନ୍ତି, ୨୦୦୪ ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ତୌଫିକ୍‌ ହିଦାୟତଙ୍କ ବ୍ୟାକ୍‌ହ୍ୟାଣ୍ଡ ଏବଂ ଦୁଇଥର ଅଲିମ୍ପିକ ଚାମ୍ପିୟନ ଲିନ୍‌ ଡାନ୍‌ଙ୍କ ଖେଳିବା ଷ୍ଟାଇଲ୍‌କୁ ସେ ଖୁବ୍‌ ପସନ୍ଦ କରନ୍ତି। ଭାରତର ଏହି ଷ୍ଟାର ଖେଳାଳି କହିଛନ୍ତି, ରିଓରୁ ଯେତେବେଳେ ନିଜ ସହର ହାଇଦ୍ରାବାଦରେ ପହଞ୍ଚତ୍ଲେ ମେଗା ଇଭେଣ୍ଟରେ ଉଲ୍ଲେଖନୀୟ ସଫଳତାରେ ଖୁସି ହୋଇ ଜଣେ ସମର୍ଥକ ନିଜର ମାସିକ ବେତନ ତାଙ୍କୁ ଦେଇଥିଲେ। ଏହାକୁ ସେ କେବେ ଭୁଲି ପାରିବେ ନାହିଁ।

Share