ପୁଟିନ୍‌ଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା

ମସ୍କୋ, ୧୨।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସବୁବେଳେ ଖବରର ଶିରୋନାମା ପାଲଟିଛି। ସଦ୍ୟ ପ୍ରକାଶିତ ରିପୋର୍ଟ ମୁତାବକ ପୂର୍ବ ଅପେକ୍ଷା ପୁଟିନ୍‌୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯାଇଛି। ପୁଟିନ୍‌୍‌ଙ୍କ ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହେଉଛି। ଅନ୍ୟପକ୍ଷେ ତାଙ୍କୁ ସ୍ପଷ୍ଟ ଦେଖାଯାଉ ନ ଥିବାବେଳେ ଜିଭ ସ୍ବାଦ ବାରିପାରୁ ନ ଥିବା ଜଣାପଡ଼ିଛି। ପୁଟିନ୍‌୍‌ଙ୍କ ଅସୁସ୍ଥତାକୁ ନେଇ ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରଠାରୁ ପୁଟିନ୍‌୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅନେକ ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସୂଚନାନୁସାରେ ପୁଟିନ୍‌୍‌ଙ୍କ ଡାହାଣ ହାତ ଏବଂ ଗୋଡ଼ ଅକାମୀ ହେବାକୁ ବସିଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଧ୍ୟାନ ସାଙ୍ଗକୁ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। କିନ୍ତୁ ପୁଟିନ୍‌୍‌ ଏପରି କରିବାକୁ ମନା କରିବା ସହ ଯୁଦ୍ଧ ସମ୍ପର୍କରେ ଟିକିନିକି ଖବର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଫେବୃୟାରୀରେ ପୁଟିନ୍‌୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ଗୋଡ଼ ଅସ୍ବାଭାବିକ ଭାବେ ଥରୁଥିବାର ଦେଖିବାକୁ ମିଳିଥିଲା। ସେହିପରି ପୁଟିନ୍‌୍‌ କ୍ୟାନ୍‌ସର ସାଙ୍ଗକୁ ମସ୍ତିଷ୍କଜନିତ ରୋଗରେ ଆକ୍ରାନ୍ତ ଥିବା ଗତ ମାର୍ଚ୍ଚରେ ସ୍ପେନ୍‌ ଗଣମାଧ୍ୟମ ଏକ ଖବର ପ୍ରସାରଣ କରିଥିଲା। ପରବର୍ତ୍ତୀ ସମୟରେ କ୍ରେମ୍‌ଲିନ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା।

Share