ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ହେଉ ପୁଟିନ୍‌ଙ୍କ ବିଚାର

ମସ୍କୋ,୫ା୩: ଆକ୍ରମଣକାରୀ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦଣ୍ଡିତ କରିବା ଲାଗି ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ତାଙ୍କର ବିଚାର କରାଯାଉ ବୋଲି ଶୁକ୍ରବାର ୟୁକ୍ରେନ୍‌ ପକ୍ଷରୁ ଦାବି କରାଯାଇଛି। ୟୁକ୍ରେନ୍‌ ସରକାର ଏବଂ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୋର୍ଡୋନ ବ୍ରାଉନ୍‌ ପୁଟିନ୍‌ ତଥା ତାଙ୍କ ସହଯୋଗୀଙ୍କ ପାଇଁ ଏକ ଆପରାଧିକ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି। ବ୍ରାଉନ୍‌ କହିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବରିଷ୍ଠ ନାଜିମାନଙ୍କୁ ଯେଭଳି ଭାବେ ଦଣ୍ଡିତ କରାଯାଇଥିଲା, ପୁଟିନ୍‌ଙ୍କ ଆପରାଧିକ ଅତିକ୍ରମଣ ପାଇଁ ତାଙ୍କୁ ଦଣ୍ଡ ଦେବା ଲାଗି ଅନୁରୂପ ବ୍ୟବସ୍ଥା କରାଯାଉ। ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅଦାଲତରେ ଏହି ଯୁଦ୍ଧ ଅପରାଧର ଶୁଣାଣି ହେବ। ତେବେ ସେ ଖସିଯିବାରେ ଯେପରି ସଫଳ ନ ହୁଅନ୍ତି ସେଥିପ୍ରତି ସତର୍କ ହେବାକୁ ପଡ଼ିବ। ଟ୍ରିବ୍ୟୁନାଲରେ ପୁଟିନ୍‌ଙ୍କ ଶୁଣାଣି ପ୍ରସ୍ତାବକୁ ୟୁକ୍ରେନ୍‌ର ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ସ୍ବାଗତ କରିଛନ୍ତି।

Share