ଯୁଦ୍ଧାବସାନ ଚାହାନ୍ତି ପୁଟିନ୍‌

ମସ୍କୋ/ଲଣ୍ଡନ,୨୪।୧୨: ୟୁକ୍ରେନ୍‌ ଯୁଦ୍ଧ ଶୀଘ୍ର ଶେଷ ହେବା ରୁଷିଆର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯେକୌଣସିମତେ ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ସେତେ ଭଲ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ତେବେ ସେମାନଙ୍କ ଉଦ୍‌ବେଗକୁ ୟୁକ୍ରେନ୍‌ ଏବଂ ଆମେରିକା ଶୁଣିବାକୁ ନାରାଜ। ରୁଷିଆକୁ ଦୁର୍ବଳ କରିବା ଲାଗି ଆମେରିକା ୟୁକ୍ରେନ୍‌କୁ ଏକ ଯୁଦ୍ଧକ୍ଷେତ୍ର ଭାବେ ବ୍ୟବହାର କରୁଥିବା କ୍ରେମ୍‌ଲିନ୍‌ ଅଭିଯୋଗ କରିଛି। ପୂର୍ବ ଡୋନେସ୍କକୁ ରୁଷିଆ ନିୟନ୍ତ୍ରଣକୁ ନେଇଥିବା ଏହାର ସେନାମୁଖ୍ୟ କହିଛନ୍ତି। କିଭ୍‌ ସହ ଆଲୋଚନା ପାଇଁ ମସ୍କୋ ଆଗ୍ରହୀ ବୋଲି କିଛି ମାସ ହେଲା ଏହାର ଅଧିକାରୀମାନେ କହି ଆସୁଛନ୍ତି। ତେବେ ୟୁକ୍ରେନ୍‌ ରାଷ୍ଟ୍ରପତି ଭେଲୋଡିମିର ଜେଲେନ୍‌ସ୍କି କୂଟନୈତିକ ଚ୍ୟାନେଲଗୁଡ଼ିକୁ ବନ୍ଦ କରିଦେବା ସହ ପୁଟିନ୍‌ କ୍ଷମତାରେ ଥିବା ପର୍ଯ୍ୟନ୍ତ ବୁଝାମଣା ହେବ ନାହିଁ ବୋଲି କହୁଥିବା ରୁଷିଆ ଅଭିଯୋଗ କରିଛି।
ଜେଲେନସ୍କି ଓ୍ବାଶିଂଟନ ଗସ୍ତ କରି ଫେରିଛନ୍ତି। ୟୁକ୍ରେନ୍‌କୁ ସହାୟତା କରିବା ବିଶ୍ୱ ସୁରକ୍ଷା ପାଇଁ ପୁଞ୍ଜିନିବେଶ ଭଳି ବୋଲି ସେ ଆମେରିକା କଂଗ୍ରେସରେ କହିଥିଲେ। ବୁଧବାର ତାଙ୍କୁ କଂଗ୍ରେସରେ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ପାଟ୍ରିଅଟ୍‌ ମିଶାଇଲ ସମେତ ୧.୮ ବିଲିୟନ ଡଲାରର ସାମରିକ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରିଥିଲେ। ଏହା ବିବାଦକୁ ଆହୁରି ବଢ଼ାଇବ ବୋଲି ପୁଟିନ୍‌ ସତର୍କ କରାଇ ଦେଇଛନ୍ତି।
ୟୁକ୍ରେନ୍‌ ସହ ବିବାଦକୁ ପୁଟିନ୍‌ ପ୍ରଥମ ଥର ପାଇଁ ଯୁଦ୍ଧ ବୋଲି କହିଛନ୍ତି। ସେ ଯୁଦ୍ଧ ଶବ୍ଦ ବ୍ୟବହାର କରି ନିଜ ଆଇନକୁ ଭାଙ୍ଗିଥିବା ସେଣ୍ଟ ପିଟର୍ସବର୍ଗ ରାଜନେତା ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଚଳାଇଥିବାବେଳ ପୁଟିନ ଏହାକୁ ସ୍ବତନ୍ତ୍ର ସାମରିକ ଅଭିଯାନ କହିଆସୁଥିଲେ। ସଶସ୍ତ୍ର ବଳ ବିରୋଧରେ ଜାଣିଶୁଣି ମିଛ ତଥ୍ୟ ପ୍ରସାର କଲେ ଅର୍ଥଦଣ୍ଡ ସହ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଗତ ମାର୍ଚ୍ଚରେ ପୁଟିନ୍‌ ଏକ ଆଇନରେ ସ୍ବାକ୍ଷର କରିଥିଲେ। ସାମରିକ ଅଭିଯାନକୁ ଯୁଦ୍ଧ କହିଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନରେ ଉଲ୍ଲେଖ ରହିଛି। ତେବେ ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣକୁ ଯୁଦ୍ଧ କହି ନିଜ ଆଇନର ଉଲ୍ଲଂଘନ କରିଛନ୍ତି। ସେଣ୍ଟ ପିଟର୍ସବର୍ଗର ବିରୋଧୀ ଦଳ କାଉନସିଲର ନିକିତା ୟୁଫେରେଭ୍‌ କହିଛନ୍ତି, ସେ କରିଥିବା ଆଇନଗତ ଚ୍ୟାଲେଞ୍ଜର କିଛି ଫଳ ହେବ ନାହିଁ। ତେବେ ବ୍ୟବସ୍ଥାର ମିଛକୁ ପଦାରେ ପକାଇବା ଲାଗି ସେ ମାମଲା ଦାଏର କରିଥିବା କହିଛନ୍ତି।

Share