ମେ ୯ ସୁଦ୍ଧା ଡୋନାବାସକୁ ଦଖଲ କରିବାକୁ ଚାହାଁନ୍ତି ପୁଟିନ୍‌, ଆମେରିକା ଗୁପ୍ତଚର ସଂସ୍ଥାର ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ/ମସ୍କୋ, ୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩୯ ଦିନ ଧରୀ ଜାରି ରହିଛି। ଏଭଳି ସ୍ଥଳେ ବାର୍ତ୍ତାକାର ଡେଭିଡ ଆରକାମିଆ ୟୁକ୍ରେନ ଟେଲିଭିଜନ ଚ୍ୟାନେଲକୁ କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ତୁର୍କୀରେ ହେବ।

ଆମେରିକାର ଗୁପ୍ତଚର ଏଜେନ୍ସି ଦ୍ୱାରା ଦାବି କରାଯାଇଛି ଯେ ପୁଟିନ ଆସନ୍ତା ମେ ୯ ତାରିଖ ସୁଦ୍ଧା ଡୋନାବାସକୁ ସମ୍ପୂର୍ଣ୍ଣ ଦଖଲ କରି ନିଜ ନିୟନ୍ତ୍ରଣକୁ ଆଣିବାକୁ ଚାହୁଁଛନ୍ତି। ଏହି କାରଣରୁ ସେ କେବଳ ଡୋନାବାସ ଉପରେ ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ରୁଷିଆର ସନ୍ୟମାନେ ବର୍ତ୍ତମାନ ଯେଉଁ ଅଞ୍ଚଳରେ ଲଢୁଛନ୍ତି ସେହି ସ୍ଥାନ ଦଖଲ କରିବେ ନାହିଁ। ସେମାନେ ଡୋନାବାସକୁ ଦଖଲ କରିବାକୁ ନିର୍ଦ୍ଦେଶ ପାଇଛନ୍ତି।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଗୁପ୍ତଚର ରିପୋର୍ଟରେ କୁହାଯାଇଛି ଯେ ରୁଷିଆ ବର୍ତ୍ତମାନ ନିଜର ବାୟୁସେନାକୁ ଦକ୍ଷିଣ ପୂର୍ବ ୟୁକ୍ରେନକୁ ଟାର୍ଗେଟ କରିବାକୁ ନିର୍ଦ୍ଦେଶ ଦେଇଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ୟୁକ୍ରେନରେ ନିଜର ବାୟୁସେନା ବେସ୍‌ ସ୍ଥାପନ ପାଇଁ ରୁଷିଆର ମୁଖ୍ୟ ଉଦ୍ଦେଶ୍ୟ। ଏଭଳି ପରିସ୍ଥିତିରେ ରୁଷିଆ ନିଜର ଅଭିଯାନକୁ ଦକ୍ଷିଣ ପୂର୍ବ ୟୁକ୍ରେନ ଉପରେ ଧ୍ୟାନ ଦେବାକୁ ଯୋଜନା କରିଛି।

ୟୁକ୍ରେନର ବାୟୁସେନା ରବିବାର କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆର ଚାରିଟି କ୍ଷେପଣାସ୍ତ୍ର, ଦୁଇଟି ଏସ୍‌ୟୁ-୩୪ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ଅନ୍ୟାନ୍ୟ ଆକ୍ରମଣ କରିଥିଲା। ୟୁକ୍ରେନ୍‌ ବାୟୁସେନା ରିପୋର୍ଟ କରିଛି ଯେ, ଏହି ସବୁ ଆକ୍ରମଣକୁ ଅସଫଳ କରାଯିବା ସହିତ ରୁଷିଆ ସୈନ୍ୟବାହିନୀକୁ ବହୁତ କ୍ଷତି ପହଞ୍ଚା ଯାଇଛି।

Share