ମସ୍କୋ,୨୫।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ। ସେ କେବଳ ଓ୍ବାଶିଂଟନ୍ର ‘ସଙ୍କେତ’କୁ ଅପେକ୍ଷା କରି ରହିଛନ୍ତି ବୋଲି ଶୁକ୍ରବାର କ୍ରେମ୍ଲିନ୍ ପକ୍ଷରୁ ସୂଚନା ଦିଆଯାଇଛି। କ୍ରେମ୍ଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଖବରଦାତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ପୁଟିନ୍ ପ୍ରସ୍ତୁତ। ଆମେ ଆମେରିକାର ସଙ୍କେତ ଅପେକ୍ଷାରେ ରହିଛୁ। ପୁଟିନ୍ ଓ ଆମେରିକାର ନୂଆ ରାଷ୍ଟ୍ରପତି ୟୁକ୍ରେନ୍
ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ପୂର୍ବରୁ କହିଥିଲେ। ଇତିମଧ୍ୟରେ ୟୁକ୍ରେନ୍ ସହ ମସ୍କୋ ଯୁଦ୍ଧ ଶେଷ ନ କଲେ ରୁଷିଆ ଉପରେ ଆର୍ଥିକ କଟକଣା ଜାରି କରାଯିବ ବୋଲି ଟ୍ରମ୍ପ୍ ଧମକ ଦେଇଥିଲେ। ଏହା ଉପରେ ପେସ୍କୋଭ୍ କହିଛନ୍ତି, ଦୁଇନେତାଙ୍କ ସାକ୍ଷାତ୍ କେବେ ହେବ ସେନେଇ ସେ କିଛି ମନ୍ତବ୍ୟ ଦେଇପାରିବେ ନାହିଁ। ରୁଷିଆ ନିଜ ତୈଳର ମୂଲ୍ୟ ହ୍ରାସ କଲେ ୟୁକ୍ରେନ୍ ସଂଘର୍ଷର ଅବସାନ ଘଟିବ ବୋଲି ଟ୍ରମ୍ପ୍ କହିଥିବା ବିଷୟକୁ କ୍ରେମ୍ଲିନ୍ ପ୍ରତ୍ୟାଖ୍ୟାନ କରି କହିଛି, ଏହି ସଂଘର୍ଷ ତୈଳ ଦର ଉପରେ ନିର୍ଭରଶୀଳ ନୁହେଁ। ପ୍ରକାଶ ଯେ, ଡାଭୋସ୍ରେ ଚାଲିଥିବା ଓ୍ବାଲର୍ଡ ଇକୋନୋମିକ୍ ଫୋରମ୍ (ଡବ୍ଲ୍ୟୁଇଏଫ୍)କୁ ଗୁରୁବାର ସମ୍ବୋଧିତ କରି ଟ୍ରମ୍ପ୍ କହିଥିଲେ, ସେ ସାଉଦି ଆରବ ଏବଂ ଅର୍ଗାନାଇଜେଶନ୍ ଅଫ୍ ଦି ପେଟ୍ରୋଲିଂ ଏକ୍ସପୋର୍ଟିଂ କଣ୍ଟ୍ରିଜ୍ (ଓପିଇସି)କୁ ତୈଳ ଦର ହ୍ରାସ ପାଇଁ ପରାମର୍ଶ ଦେବେ। ମୂଲ୍ୟ ହ୍ରାସ ହେଲେ ତତ୍କାଳ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବ।


