ପାଶ୍ଚାତ୍ୟ ଦେଶକୁ ପୁଟିନ୍‌ଙ୍କ ଆକ୍ଷେପ

ମସ୍କୋ,୧୩ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶକୁ କଡ଼ା ଆକ୍ଷେପ କରିଛନ୍ତି। ୟୁକ୍ରେନରେ ରୁଷିଆର କାର୍ଯ୍ୟକଳାପ ପରେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ମସ୍କୋ ଉପରେ ଲାଗିଥିବା କଟକଣା ଦ୍ୱାରା ଉକ୍ତ ଦେଶ ନିଜେ ଗଭୀର ଭାବରେ ପ୍ରଭାବିତ ହୋଇଥିବା ପୁଟିନ୍‌ କହିଛନ୍ତି। ଅର୍ଥନୈତିକ ପ୍ରସଙ୍ଗ ଉପରେ ଏକ ବୈଠକରେ ପୁଟିନ କହିଛନ୍ତି, ଅନେକ ଦେଶ କ୍ଷୁଧାର ସମ୍ମୁଖୀନ ହେଉଛନ୍ତି ଏବଂ ରୁଷିଆ ଉପରେ ପ୍ରତିବନ୍ଧକ ଜାରି ରହିଲେ ୟୁରୋପୀୟ ୟୁନିଅନ ମଧ୍ୟ ସମାନ ପରିଣାମର ସମ୍ମୁଖୀନ ହେବେ।

ସେ କହିଛନ୍ତି, ଯେଉଁମାନେ ନିଜର ପ୍ରାଧାନ୍ୟ ବଜାୟ ରଖିବା ପାଇଁ ବିଶ୍ୱକୁ ବଳିଦାନ ଦେବାକୁ ପ୍ରସ୍ତୁତ, ଏହି ଯୁଦ୍ଧ ଦ୍ୱାରା ବିଶ୍ୱର କ୍ଷତି ପାଇଁ ସେହି ଦେଶଗୁଡ଼ିକ ସମ୍ପୂର୍ଣ୍ଣ ଦାୟୀ। ସେ ଆହୁରି ମଧ୍ୟ କହିଛନ୍ତି, ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବିଶ୍ୱର ଅର୍ଥନୈତିକ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ଏକ ମିଥ୍ୟା। ରୁଷିଆ ନୁହେଁ ବରଂ ଏଥିପାଇଁ କେବଳ ପାଶ୍ଚାତ୍ୟ ପ୍ରତିବନ୍ଧକ ହିଁ ଦାୟୀ।

Share