ଦାରିଙ୍ଗବାଡ଼ି,୬ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦଶହରା ଅବସରରେ ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ ତାହା ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଅବସରରେ ଗଞ୍ଜାମ ଜିଲା ପୋଲସରା ବ୍ଲକ ଗୋଚ୍ଛାବାଡ଼ି ଗ୍ରାମର କଳାକାରଙ୍କ ଦ୍ୱାରା ରାଜେନ୍ଦ୍ର ବିଶୋଇଙ୍କ ନିର୍ଦ୍ଦେଶନାରେ ‘ଶ୍ରୀକୃଷ୍ଣ ବଳେ ବିଜୟ ପାର୍ଥ’ ତଥା ମହାଭାରତ ନାଟକ ମଞ୍ଚସ୍ଥ ହୋଇଛି।
ଏହି ଅବସରରେ ମୋଟ ୫୫ ଟି ଦୃଶ୍ୟ ରହିଥିବା ବେଳେ ଏହି ନାଟକ ପ୍ରାୟ ୨୦ ଘଣ୍ଟା ଧରି ଚାଲିଛି ଏହାକୁ ଦେଖିବା ପାଇଁ ଶହଶହ ଦର୍ଶକ ରୁଣ୍ଡ ହୋଇଥିଲେ। ତେବେ ଏହି ନାଟକର ସମସ୍ତ ଦୃଶ୍ୟ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ବେଳେ ପଞ୍ଚୁପାଣ୍ଡବଙ୍କ ଅଜ୍ଞାତ ବାସ ଓ କିଚକ ବଧ, ଅଭିମନ୍ୟୁ ଚକ୍ରବ୍ୟୁହ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ତେବେ ସବୁଠାରୁ ଭୀମଙ୍କ ରୋଷ ଶାଳ ପାଇଁ ବଡ଼ବଡ଼ ହଣ୍ଡା ବୋହିବା ଦୃଶ୍ୟ ସମସ୍ତଙ୍କୁ ପସନ୍ଦ ଆସିଥିଲା। ଭୀମ ଭୂମିକାରେ ସରୋଜ କୁମାର ବାରିକ (ରାଘବ) ଅଭିନୟ କରିଥିବା ବେଳେ କିଚକ ଭୂମିକାରେ ରତ୍ନାକର ସାହୁ ଅତି ସୁନ୍ଦର ଅଭିନୟ କରିଥିଲେ। ତେବେ ଏହା ପୌରାଣିକ ନାଟକ ହୋଇଥିବା ବେଳେ ଯୁବଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ କିଚକ ଭୂମିକାରେ ଅଭିନୟ କରୁଥିବା ରତ୍ନାକର ଅଲୁ ଅର୍ଜୁନଙ୍କ ପୁଷ୍ପା -ଟୁ ଭଳି ବେଶ ଧାରଣ କରିଥିଲେ। ଯାହା ଯୁବ ଦର୍ଶକଙ୍କ ମନ ମୋହିଥିଲା ଏବଂ ସେ ଭୀମଙ୍କ ସହ କିଚକଙ୍କ ଯୁଦ୍ଧ ସମୟର ଦୃଶ୍ୟ ମଧ୍ୟ କିଚକ ଅଲୁ ଅର୍ଜୁନଙ୍କ କପି କରୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ମା’ ଦୁର୍ଗାପୂଜା କମିଟିର ସଭାପତି ଦିଲୀପ କୁମାର ବେହେରା, ସମ୍ପାଦକ ଗିରିଶ ଚନ୍ଦ୍ର ସାହୁ,ସନ୍ତୋଷ କୁମାର ମିଶ୍ର,ବିନୋଦ ସାହୁ, ସରୋଜ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ଅଜିତ କୁମାର ଚୌଧୁରୀ, ଚନ୍ଦନ ସେନାପତି, ବାଥଲମ ନାୟକ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।


