ପୁରୁଷୋତ୍ତମପୁର, ୧୯।୬ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଏନଏସିରୁ ଏକ ସଙ୍ଗୀନ ଘଟଣାକୁ ନେଇ ଅଭିଯୋଗ ଆସିଛି। ସହରକୁ ଆଲୋକିତ କରି ଜନସାଧାରଣଙ୍କୁ ଆଲୋକ ସୁବିଧା ଯୋଗାଇବା ପାଇଁ ସରକାର ଯୋଗାଇ ଦେଇଥିବା ଷ୍ଟ୍ରିଟ୍ ଲାଇଟ୍ ପୋଲଗୁଡ଼ିକ ଶେଷରେ ବନ୍ଧା ପଡ଼ିଯାଇଛି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ଏହାକୁ ନେଇ ଲୋକେ ସରକାରଙ୍କୁ ସମାଲୋଚନା କରିବା ସହ ତାତ୍ସଲ୍ୟ ମଧ୍ୟ କରିଛନ୍ତି।
ସେମାନେ କହିଛନ୍ତି ଯେ, ରାଜ୍ୟରେ ନୂତନ ସରକାର ଆସିବା ସହ ଏନଏସିରେ ମଧ୍ୟ ପ୍ରଥମ ଥର ପାଇଁ ଭାଜପା ପକ୍ଷରୁ ଅଧ୍ୟକ୍ଷ ପଦ ହାସଲ କରାଯାଇଛି। ମାତ୍ର ଦୁଇ ବର୍ଷ ନପୂରୁଣୁ ଷ୍ଟ୍ରିଟ୍ ଲାଇଟ୍ ପୋଲକୁ ବନ୍ଧା ପକାଇ ଦିଆଯାଇଛି। ଆଉ ପାଞ୍ଚ ବର୍ଷ ବିତିବା ବେଳକୁ ପୁରୁଷୋତ୍ତମପୁର ଏନଏସିକୁ ମଧ୍ୟ ବନ୍ଧା ପକାଇ ଦିଆଯିବ ବୋଲି କହି ସରକାର ଓ ଏନଏସି ଅଧ୍ୟକ୍ଷଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ଘଟଣାରୁ ଜଣାପଡ଼ିଛି ଯେ, ଏନଏସିରେ ଲାଇଟ୍ ଲଗାଇବା ସହ ଏହାର ତଦାରଖ କରିବା ପାଇଁ ‘ସେସ୍କା’ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା ପ୍ରକୃତରେ ତଦାରଖ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇପଡ଼ିଛି। ସହରର ବିଭିନ୍ନ ସ୍ଥାନ ଅଧିକାଂଶ ସମୟରେ ଅନ୍ଧକାର ମଧ୍ୟରେ ରହୁଛି। ଅଭିଯୋଗ କଲେ ମଧ୍ୟ ଏନଏସି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି।
ଗତ କିଛି ଦିନ ତଳେ ସହରକୁ ଆଲୋକିତ କରିବା ପାଇଁ ସରକାରଙ୍କ ପକ୍ଷରୁ ୨୬୩ଟି ଷ୍ଟ୍ରିଟ୍ ଲାଇଟ୍ ପୋଲ ଆସିଥିଲା। ଯେଉଁ ସ୍ଥାନରେ ଲାଇଟ୍ ନାହିଁ, ସେଠାରେ ଏହି ପୋଲ ପୋତି ଲାଇଟ୍ ଲଗାଇବା ପାଇଁ ଚିହ୍ନଟ କରାଯାଇଥିଲା। ପୋଲ ପୋତା କାର୍ଯ୍ୟ ଚାଲିଥିବା ବେଳେ ଚିହ୍ନଟ କରାଯାଇଥିବା କିଛି ସ୍ଥାନରେ ପୋଲ ପୋତା ନଯାଇ ଅଧାରୁ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସାଧାରଣରେ ଅଭିଯୋଗ ସହ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ, ଦାୟିତ୍ୱରେ ଥିବା କର୍ମଚାରୀମାନେ ବିଭିନ୍ନ ଆଳ ଦେଖାଇ ପୋଲ ସରିଯାଇଥିବା ହେତୁ ନୂଆ ପୋଲ ଆସିଲେ ଲଗାଯିବ ବୋଲି କହୁଛନ୍ତି।
ମାତ୍ର ସହର ନିକଟସ୍ଥ ଏକ ସ୍ଥାନରେ ଦଶଟି ପୋଲ ପଡ଼ିଥିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଥିଲା। ଏହି ଘଟଣା ସମ୍ପର୍କରେ ପଚରାଉଚରା କରାଯିବାରେ, ଏହି ପୋଲଗୁଡ଼ିକୁ ରଖିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ତାଙ୍କୁ ଜିଲାର ୧୭ଟି ଏନଏସିରେ ଷ୍ଟ୍ରିଟ୍ ଲାଇଟ୍ ତଦାରଖ କରିବା ପାଇଁ ସେସ୍କା ପକ୍ଷରୁ ଗତ ଡିସେମ୍ବର ମାସରେ ଦାୟିତ୍ୱ ଦିଆଯାଇଥିଲା।
ଏହାକୁ ନେଇ ସେ ତାର, ଗ୍ଲୋବ୍, ଟେଷ୍ଟର ଆଦି ବିଭିନ୍ନ ବୈଦ୍ୟୁତିକ ସରଞ୍ଜାମ ପ୍ରାୟ ୮୦ ହଜାର ଟଙ୍କା ମୂଲ୍ୟର କିଣି ବିଭିନ୍ନ ସ୍ଥାନରେ ଯୋଗାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଆଉ ଦାୟିତ୍ୱ ଦିଆଯାଇ ନ ଥିବା ବେଳେ, ୮୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇନାହିଁ। ସେଥିପାଇଁ ସେ ଏହି ୧୦ଟି ପୋଲକୁ ରଖିଛନ୍ତି। ଯଦି ତାଙ୍କର ବକେୟା ୮୦ ହଜାର ଟଙ୍କା ପ୍ରଦାନ କରାଯାଏ, ତେବେ ସେ ପୋଲଗୁଡ଼ିକୁ ଫେରାଇ ଦେବେ, ନଚେତ ଏହାକୁ ବିକ୍ରି କରି କିଣିଥିବା ସରଞ୍ଜାମର ଖର୍ଚ୍ଚ ଭରଣା କରିବେ ବୋଲି କହିଛନ୍ତି।
ଏହି ଘଟଣାକୁ ନେଇ ଏନଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଏ ସମ୍ପର୍କରେ ସେ କିଛି ଜାଣିନାହାନ୍ତି। ଅନ୍ୟପକ୍ଷରେ, ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଗ୍ରୀନଫିଲ୍ଡ ଯୋଜନାରେ ଲାଇଟ୍ ଲଗାଇବା ପାଇଁ ଏହି ପୋଲ ଆସିଥିଲା। କେଉଁଠାରେ କଣ ହୋଇଛି ସେ ସମ୍ପର୍କରେ ସେ ଜାଣିନାହାନ୍ତି। ଘଟଣାର ତଦନ୍ତ କରାଯିବ ଏବଂ ଯଦି ସେପରି କିଛି ଜଣାପଡ଼େ, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ହେଲେ ଏଥିରୁ ପ୍ରଶ୍ନ ଉଠିଛି ଯେ, କେତେ ପୋଲ ଆସିଥିଲା, କେତେ ପୋଲ କେଉଁଠାରେ ପୋତାଯାଇଛି, ଚିହ୍ନଟ ସ୍ଥାନରେ ପୋତାଯାଇଛି କି ନାହିଁ, ସେଥିପ୍ରତି ଏନଏସି କର୍ତ୍ତୃପକ୍ଷ କାହିଁକି ତଦାରଖ କରିନାହାନ୍ତି? ନା ଏନଏସି କର୍ତ୍ତୃପକ୍ଷଙ୍କ ଜାଣତରେ ଏପରି ଘଟଣା ଘଟିଛି? ତାହା ଏବେ ସନ୍ଦେହ ଘେରକୁ ଆସିଛି।
ଏଣୁ ଏଥିପ୍ରତି ଗଞ୍ଜାମ ଜିଲାପାଳ, ଜିଲା ନଗର ଉନ୍ନୟନ ସଂସ୍ଥାର ଅଧିକାରୀ ଏବଂ ସରକାରଙ୍କ ନଗର ଉନ୍ନୟନ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଘଟଣାର ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି।