ଭୁବନେଶ୍ୱର, ୧୨ା୧୧ (ରବିନାରାୟଣ ଜେନା):ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ସ୍ୱଚ୍ଛ ସର୍ୱେକ୍ଷଣ ପୁରସ୍କାର ୨୦୨୫-୨୬ରେ ଓଡ଼ିଶାକୁ ୩ଟି ସମ୍ମାନ ମିଳିଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ବୁଧବାର ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଜାତୀୟସ୍ତରରେ ପ୍ରଶଂସିତ ହେଉଥିବାବେଳେ ସ୍ୱଚ୍ଛତା ପାଇଁ
ଏହି ସଫଳତାରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ସ୍ୱୀକୃତି ମିଳିଛି। ସେହିପରି ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମଧ୍ୟରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ସଫଳତା ରାଜ୍ୟର ସହର ଓ ନଗରଗୁଡ଼ିକରେ ସ୍ୱଚ୍ଛତା, ଉନ୍ନତ ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁର ସୁପରିଚାଳନା ଏବଂ ଜନସାଧାରଣଙ୍କ ସକ୍ରିୟ ସହଭାଗିତାର ପ୍ରତିଫଳନ ବୋଲି ମନ୍ତ୍ରୀ ମହାପାତ୍ର କହିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି, ଏହି ଜାତୀୟ ସ୍ୱୀକୃତି ଓଡ଼ିଶାର ସ୍ୱଚ୍ଛ, ସୁସ୍ଥ ଓ ବାସଯୋଗ୍ୟ ସହର ଗଠନ ଦିଗରେ ନିରନ୍ତର ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଏଥିସହ ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସଫେଇ କର୍ମଚାରୀ ଓ ନାଗରିକମାନଙ୍କର ସମ୍ମିଳିତ ପ୍ରୟାସକୁ ମଧ୍ୟ ଏହା ସ୍ୱୀକୃତି ପ୍ରଦାନ କରିଛି। ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ନାଗରିକଙ୍କ ସହଭାଗିତା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ଦିଗରେ ଏହି ପ୍ରୟାସ ଗୁରୁତ୍ୱ ବହନ କରୁଛି। ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଅଧୀନରେ ଆୟୋଜିତ ସ୍ୱଚ୍ଛ ସର୍ୱେକ୍ଷଣ ପୁରସ୍କାର ୨୦୨୫-୨୬ ହେଉଛି ଏହାର ଦଶମ ସଂସ୍କରଣ। ଏହା ବିଶ୍ୱର ସର୍ୱବୃହତ୍ ସହରାଞ୍ଚଳ ସ୍ୱଚ୍ଛତା ଓ ପରିମଳ ମୂଲ୍ୟାୟନ କାର୍ଯ୍ୟକ୍ରମ ଭାବେ ପରିଚିତ।
ଏହି ପୁରସ୍କାର ସମାରୋହରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର, ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ସହ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କମିଶନର ଚଞ୍ଚଳ ରାଣା ଓ ପୁରୀ ମହାନଗର ନିଗମ ଏବଂ ଆସିକା ପୌରପାଳିକାର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।