ଢେଙ୍କାନାଳକୁ ଆସିବ ପୁରୀ ତାଳଧ୍ୱଜ ରଥ ଚକ

ଢେଙ୍କାନାଳ,୧୮।୧୦(ରତନ ନାୟାର): ୨୦୨୦ ମସିହାରେ ପୁରୀ ରଥଯାତ୍ରାର ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଗୋଟିଏ ଚକ ଢେଙ୍କାନାଳକୁ ଅଣାଯିବ। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଢେଙ୍କାନାଳ ସହରସ୍ଥିତ ଶ୍ରୀବଳଦେବ ଜୀଉ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏହି ଚକକୁ ବିନା ମୂଲ୍ୟରେ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଗୋଟିଏ ଭୁଜ ଓ ଆଶୁଆରୀ ତାଳଧ୍ୱଜ ରଥ ଚକକୁ ପୂଜା କରିବା ନିମନ୍ତେ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ପ୍ରଦାନ କରାଯିବ। ଏଥିନିମନ୍ତେ ଶ୍ରୀବଳଦେବ ଜୀଉ ମନ୍ଦିର ପକ୍ଷରୁ ଏକ ଲିଖିତ ଚୁକ୍ତିନାମା କରାଯିବ। ଚକକୁ ସୁରକ୍ଷିତ ଭାବରେ ପୁରୀରୁ ଅଣାଯିବା ସହ ରଙ୍ଗ କରାଯିବ। ଏ ବାବଦ ସମସ୍ତ ଖର୍ଚ୍ଚ ମନ୍ଦିର କର୍ତ୍ତୃପକ୍ଷ ତଥା ଦେବୋତ୍ତର ବିଭାଗ ବହନ କରିବ। ଯଦି ୧୫ ଦିନ ମଧ୍ୟରେ ଚକ ଆଣିବା ସମ୍ପର୍କରେ ଜଣା ନ ଯାଏ ତା’ହାଲେ ଏହି ନିଷ୍ପତ୍ତିକୁ ରଦ୍ଦ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ପୁରୀରୁ ଏକ ରଥ ଚକ ଢେଙ୍କାନାଳ ଅଣାଯିବା ସମ୍ପର୍କରେ ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲାପାଳ ସରୋଜ କୁମାର ସେଠୀଙ୍କ ନିକଟରେ ଲିଖିତ ଭାବରେ ଦାବି କରାଯାଇଥିଲା। ଏହା ଉପରେ ପଦକ୍ଷେପ ସ୍ବରୂପ ଜିଲାପାଳ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଅନୁରୋଧ କରିି ଚିଠି ଲେଖିଥିଲେ। ଏହାର ଉତ୍ତରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ପକ୍ଷରୁ ପତ୍ର ସଂଖା-୧୨୭୨୪, ତା. ୩ା୧୦ା୨୩ରେ ବଳରାମ ମନ୍ଦିର କର୍ତ୍ତୃପକ୍ଷଙ୍କୁ ରଥ ଚକ ପଠାଯିବା ସମ୍ପର୍କରେ ଜଣାଇ ଦିଆଯାଇଥିଲା। ଶ୍ରୀମନ୍ଦିର ପ୍ରଶାସକଙ୍କ ପତ୍ର ମିଳିବା ପରେ ଦେବୋତ୍ତର ବିଭାଗ ଅଧିକାରୀ ଏ ନେଇ ମଙ୍ଗଳବାର ଜିଲାପାଳଙ୍କୁ ଅବଗତ କରାଇଥିଲେ। ପୁରୀରୁ ରଥ ଚକ ଅଣାଯିିବା ପାଇଁ ତୁରନ୍ତ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟକୁ ପତ୍ର ମାଧ୍ୟମରେ ଜଣାଇବା ଲାଗି ଜିଲାପାଳ ଦେବୋତ୍ତର ବିଭାଗ ଅଧିକାରୀ ହରିହର ପଞ୍ଚୁଆତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଦର ତହସିଲଦାର ସୁଧାଂଶୁ କୁମାର ସାଓ ଏବଂ ଦେବୋତ୍ତର ବିଭାଗ ଅଧିକାରୀ ରଥ ଚକ ଆଣିବାର ବ୍ୟବସ୍ଥା କରିବେ ବୋଲି ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି। ଚକ ଆଣିବା ପାଇଁ ଦିନ ନିର୍ଦ୍ଧାରିତ ହେବା ପରେ ଏହାକୁ ପୁରୀରୁ ଅଣାଯିବ। ଢେଙ୍କାନାଳ ସୀମାରୁ ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ ନାଦରେ ଏକ ଶୋଭାଯାତ୍ରା ମାଧ୍ୟମରେ ବଳରାମ ମନ୍ଦିର ପରିସରକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଦେବୋତ୍ତର ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି କିଛିଦିନ ତଳେ ଏ ସଂକ୍ରାନ୍ତରେ ଜିଲା ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ପୁରୀ ଯାଇ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମହାପ୍ରଭୁ ବଳଭଦ୍ରଙ୍କ ରଥର ଏକ ଚକ ପ୍ରଦାନ କରାଯାଉଥିବାରୁ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।