ପୁରୀ ସ୍ଥିତି ଅସମ୍ଭାଳ: କଡ଼ା ପଦକ୍ଷେପ ନାହିଁ

ପୁରୀ ଅଫିସ,୧୯। ୯: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ଲକ୍‌ଡାଉନ ହଟିଯିବା ପରେ କଟକଣାକୁ ଅଧିକାଂଶ ମାନୁନାହାନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବେଗ ପରେ ଏବେ ଡିଜିପି ଅଭୟ ଟୁଇନ୍‌ ସିଟି (କଟକ ଓ ଭୁବନେଶ୍ୱର) ଉପରେ ଅଧିକ ଫୋକସ ରଖିଛନ୍ତି। ଅମାନିଆଙ୍କୁ ସାବାଡ୍‌ କରିବା ଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପଟେ କିନ୍ତୁ ପର୍ଯ୍ୟଟନ ସହର ପୁରୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଭୁବନେଶ୍ୱର ଓ କଟକ ପରେ ସଂକ୍ରମିତ ଏବଂ ସକ୍ରିୟ କ୍ଷେତ୍ରରେ ପୁରୀ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ଦିଆଯାଉ ନାହିଁ। ଫଳରେ ସେପ୍ଟେମ୍ବର ମାସ ଆରମ୍ଭରୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି।
ପୁରୀ ଜିଲାରୁ ଶୁକ୍ରବାର ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୭,୫୮୭ ଛୁଇଁଛି। ଏପ୍ରିଲ ୩ରେ ଜିଲାରୁ ପ୍ରଥମ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ୩୬ ଦିନ ପରେ ମେ ୧୦ରେ ପୁରୀ ସହରରୁ ୨ଜଣ ପଜିଟିଭ ଚିହ୍ନଟ ହେଲେ। ଏହାପରେ ଧୀରେ ଧୀରେ ଜିଲାରେ ସ୍ଥିତି ଜାହିର କରିଥିଲା କରୋନା। ଏବେ ସ୍ଥିତି ଉଦ୍‌ବେଗଜନକ ରହିଛି। ଅଗଷ୍ଟ ୩୧ ସୁଦ୍ଧା ଜିଲାର ପଜିଟିଭ ସଂଖ୍ୟା ଥିଲା ୩,୭୮୮। ମାତ୍ର ସେପ୍ଟେମ୍ବରର ୧୮ଦିନରେ ଏହା ଦୁଇଗୁଣା ବୃଦ୍ଧି ପାଇଛି। ଅର୍ଥାତ୍‌ ପଜିଟିଭ ସଂଖ୍ୟା ୭,୫୮୭ରେ ପହଞ୍ଚତ୍ଛି। ଜିଲା ପ୍ରଶାସନ ତଥ୍ୟ ଅନୁଯାୟୀ, ସକ୍ରିୟ ରୋଗୀଙ୍କ ମଧ୍ୟରେ ପୁରୀ ଏବେ ଖୋର୍ଦ୍ଧା ଓ କଟକ ପରେ ତୃତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ଜିଲାର ୧,୭୮୮ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସେହିପରି ମୋଟ ସଂକ୍ରମିତ ଏବଂ ମୃତକଙ୍କ ତାଲିକାରେ ପୁରୀ ଜିଲା ଚତୁର୍ଥ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ୩୪ଜଣଙ୍କ ମୃତ୍ୟୁ ହେଲାଣି। ଜୀବନ ଓ ଜୀବିକାକୁ ଏକାସାଙ୍ଗରେ ଆଗକୁ ବଢାଇବା ପାଇଁ ପୂର୍ବର ପ୍ରାୟ ସବୁ କଟକଣା ଏବେ ଉଠିଯାଇଛି। ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିବାବେଳେ ବେଳାଭୂମି, ଦୋକାନ ବଜାର, ହୋଟେଲ ଆଦି ଖୋଲିଗଲାଣି। ଏହି ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସଂକ୍ରମଣର ମାତ୍ରାକୁ ହ୍ରାସ କରାଯାଇ ପାରିବ। ମାତ୍ର ଅନେକ ଅମାନିଆ କଟକଣା ମାନୁନାହାନ୍ତି। ବର୍ତ୍ତମାନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବନ୍ଦ ରହିଛି। ଶ୍ରୀମନ୍ଦିର ଖୋଲିବା ମାତ୍ରେ ପୁରୀକୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢିଯିବ। ତେଣୁ ସମସ୍ତେ ଅଧିକ ସତର୍କ ହେବା ଦରକାର। କଟକ ଓ ଭୁବନେଶ୍ୱର ଭଳି ପୁରୀରେ ମଧ୍ୟ ଅମାନିଆଙ୍କ ପ୍ରତି ପୋଲିସ କଠୋର ହେବା ଦରକାର ବୋଲି ସାମାଜିକ କର୍ମୀ ଲାଲା ଅନନ୍ତ କୁମାର ସିଂହଙ୍କ ସମେତ ଅନେକ ବ୍ୟକ୍ତି ମତ ରଖିଛନ୍ତି। ଏ ସମ୍ପର୍କରେ ଏସ୍‌ପି ଅଖିଳେଶ୍ୱର ସିଂ କହିଛନ୍ତି, କୋଭିଡ୍‌ କଟକଣା କଡ଼ାକଡ଼ି ଉପରେ ପୋଲିସ ଗୁରୁତ୍ୱ ଦେଇ କାମ କରୁଛି। ଏବେ ଜିଲାରେ ଏନଫୋର୍ସମେଣ୍ଟ ଏବଂ ଚେକିଂକୁ ଆହୁରି କଡ଼ାକଡ଼ି କରାଯାଇଛି। ମାସ୍କ ଓ ସାମାଜିକ ଦୂରତା ନିୟମ ଯେଉଁମାନେ ମାନୁନାହାନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। କେବଳ ପୁରୀ ସହରରୁ ଗତ ୧୫ ତାରିଖରେ ୩୮,୫୦୦, ୧୬ରେ ୧୮,୪୦୦ ଏବଂ ୧୭ ତାରିଖରେ ୧୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।