ପୁରୀ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା

ପୁରୀ ଅଫିସ, ୨୮ା୧୧: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ୨୦୨୩ ପୁରୀ ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ମିଳିପାରେ ବୋଲି ଆଶା ପ୍ରକାଶ ପାଇଛି। ଏନେଇ ୟୁନେସ୍କୋକୁ ସମ୍ପୂର୍ଣ୍ଣ ଚିଠା ପଠାଯିବ। ଚିଠା ପ୍ରସ୍ତୁତି ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତ ଚିଠି ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି।
ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ପୁରୀ ରଥଯାତ୍ରାକୁ ସାମିଲ କରାଯିବା ନେଇ ଗତବର୍ଷ ଚିଠି ଦିଆଯାଇଥିଲା। ଆସନ୍ତା ୨୦୨୩ ବର୍ଷର ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ୟୁନେସ୍କୋରେ ନାମାଙ୍କନ ଦାଖଲ କରିବା ପାଇଁ ଚିଠା ପ୍ରସ୍ତୁତ ନିମନ୍ତେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯିବା ସହ କମିଟି ଲାଗି ୭ ଜଣଙ୍କ ନାମ ପ୍ରଦାନ କରାଯାଇଛି। ଉକ୍ତ ୭ଜଣଙ୍କ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ୫ ଜଣ ସେବାୟତ ପ୍ରତିନିଧି ଓ ୨ଜଣ ମଠାଧୀଶ ରହିଥିବା ଜଣାପଡ଼ିଛି। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି, ଭାରତରେ ୧୩ଟି ଜିନିଷକୁ ୟୁନେସ୍କୋ ମାନ୍ୟତା ମଳିଛି। ତେଣୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉଛି।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଆସିଥିଲା, ଯେଉଁଥିରେ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। କମିଟିରେ ୫ଜଣ ସେବାୟତ ପ୍ରତିନିଧି ଓ ୨ଜଣ ମଠାଧୀଶଙ୍କ ସମେତ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ରହିଛନ୍ତି। ପୁରୀ ରଥଯାତ୍ରା ସଂକ୍ରାନ୍ତ ପ୍ରାମାଣିକ ଚିତ୍ର, ସ୍ଥିର ଚିତ୍ର, ଡକ୍ୟୁମେଣ୍ଟେଶନ ଆଦି ପ୍ରଦାନ କରାଯିବ। ସରସ୍ବତୀ ପୂଜାଠାରୁ ନୀଳାଦ୍ରି ପୂଜା ପର୍ଯ୍ୟନ୍ତ ସମୟ ମଧ୍ୟରେ ପ୍ରାମାଣିକ ତଥ୍ୟ ପ୍ରଦାନ କରାଯିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସହ ପୁରୁଣା ଐତିହ୍ୟ କିପରି ଜଡ଼ିତ ରହିଛି ସେ ନେଇ ସମସ୍ତ ପ୍ରକାର ତଥ୍ୟ ଉପସ୍ଥାପନ କରାଯିବ। ୨୦୨୩ରେ ୟୁନେସ୍କୋର ପ୍ରତିନିଧିମାନଙ୍କୁ ଡାକି ରଥଯାତ୍ରାରେ ସାମିଲ କରି ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ପ୍ରଦାନ ଦିଗରେ ସରକାର କାର୍ଯ୍ୟକୁ ଆଗେଇନେବେ ବୋଲି ମହାପାତ୍ର ଆଶା ବ୍ୟକ୍ତ କରିଛନ୍ତି।