ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରାଇବାରେ ପୁରୀ ଆଗୁଆ

ପୁରୀ ଅଫିସ, ୨ା୧୨: ପୁରୀ ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲାର ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେଥିଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନେକ ଦିବ୍ୟାଙ୍ଗ ସ୍ବାବଲମ୍ବୀ ହୋଇ ନିଜ ପରିବାର ମୁହଁରେ ଖୁସି ବାଣ୍ଟିିପାରୁଛନ୍ତି। ଜିଲା ପ୍ରଶାସନର ଏଭଳି ମହତ କାର୍ଯ୍ୟକୁ ସଫଳତା ମିଳିଛି। ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବେଷ୍ଟ ଏମ୍ପ୍ଲୋର ବିଭାଗରେ ପୁରୀ ଜିଲାକୁ ପୁରସ୍କୃତ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ପୁରୀ ଜିଲାପାଳଙ୍କୁ ନିମନ୍ତ୍ରଣ କରାଯାଇଛି।
ସୂଚନାଯୋଗ୍ୟ, ପୁରୀ ଜିଲାରେ ଦିବ୍ୟାଙ୍ଗମାନଙ୍କ ଜୀବନ ଜୀବିକା ସଜାଡ଼ିବା ପାଇଁ ଜିଲା ପ୍ରଶାସନ ‘ଫୁଲ’ ଯୋଜନା କାର୍ଯ୍ୟକାରୀ କରିଛି। ଏହା ମାଧ୍ୟମରେ ପ୍ରାଥମିକ ପର୍ଯ୍ୟାୟରେ ଜିଲାର ୧ହଜାର ଦିବ୍ୟାଙ୍ଗଙ୍କୁ ତାଲିମ ଦିଆଯିବା ସହ ଷ୍ଟେଟ ବ୍ୟାଙ୍କ୍‌ ମାଧ୍ୟମରେ ପ୍ରାୟ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଜିଲା ପ୍ରଶାସନର ୫-ଟି ସେଲ୍‌ରେ ୬ଜଣ ଦିବ୍ୟାଙ୍ଗ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶାର ପ୍ରଥମ କରି ଦିବ୍ୟାଙ୍ଗମାନଙ୍କ ଦ୍ୱାରା ପରିଚାଳିତ କଲେକ୍ଟରେଟ୍‌ କ୍ୟାଣ୍ଟିନ ‘ଚଟଣି’ ଖୋଲାଯାଇଛି। ଏଥିରେ ପ୍ରାୟ ୭ରୁ ଅଧିକ ଦିବ୍ୟାଙ୍ଗ ନିଯୁକ୍ତି ପାଇଛନ୍ତି। ସ୍ବର୍ଗଦ୍ୱାରରେ ସେବା ଯୋଗାଇଦେବାକୁ ୨ଜଣ ଦିବ୍ୟାଙ୍ଗ ନିୟୋଜିତ ହୋଇଛନ୍ତି। ଦିବ୍ୟାଙ୍ଗଙ୍କୁ ନେଇ ଗଠିତ ଜିଲାର ୨୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ସ୍ବାବଲମ୍ବୀ ହେବା ପାଇଁ ପ୍ରଶାସନ ପକ୍ଷରୁ ୧୧ ଲକ୍ଷ ୫୦ ହଜାର ଟଙ୍କା ଆର୍ଥତ୍କ ସହାୟତା ରାଶି ଦିଆଯାଇଛି ବୋଲି ପ୍ରକଳ୍ପର ପରାମର୍ଶଦାତା ସିଦ୍ଧାର୍ଥ ରାୟ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ପାଇଁ ପୁରୀ ଜିଲାକୁ ଚୟନ କରାଯାଇଥିବା ଆମ ପାଇଁ ଗୌରବର କଥା। ଦିବ୍ୟାଙ୍ଗଙ୍କ ଲାଗି ଆଗକୁ ଆହୁରି ଭଲ କାମ କରିବାକୁ ଏହି ପୁରସ୍କାର ପ୍ରେରଣା ଦେବ ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା କହିଛନ୍ତି। ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିଲାଗି ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ଓ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗକୁ ଆହୁରି ଏକାଧିକ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମହାରଣା ପ୍ରକାଶ କରିଛନ୍ତି।