ଚାଷୀ ନଥାଇ ଧାନ କିଣା: ୭ ମହିଳା ସଂଘ ନାଁରେ ଅନିୟମିତତା ଅଭିଯୋଗ

ଛତ୍ରପୁର,୨୩।୬(ଡି.ଏନ୍‌.ଏ): ୨୦୨୦-୨୧ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲାରେ ଧାନ କିଣାରେ ୭ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ ଅନିୟମିତତା କରିଥିବା ଯୋଗାଣ ବିଭାଗ ଚିହ୍ନଟ କରିଛି । ପ୍ରକାଶଯୋଗ୍ୟ ୨୦୨୦-୨୧ ଆର୍ଥିକ ବର୍ଷରେ ଉକ୍ତ ୭ ଏସଏଚ୍‌ଜି ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ନକରି କିଣିଥିବା ଦର୍ଶାଇଥିଲେ । ପରେ ପି-ପାସରୁ ଏହାକୁ ଡିଲିଟ କରାଯାଇଥିଲା । ଯାଞ୍ଚବେଳେ ଏଭଳି ଅନିୟମିତତା ହୋଇଥିବା ଯୋଗାଣ ନିଗମ ଜାଣିବାକୁ ପାଇଥିଲେ । ଏପରିକି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଶନ ଶକ୍ତିର ନିର୍ଦ୍ଦେଶକଙ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଏପ୍ରିଲ ମାସରେ ଚିଠି କରାଯାଇଥିଲା । ଏଥିସହ ଭବିଷ୍ୟତରେ ଆଉ ଧାନ କିଣା ପ୍ରକ୍ରିୟାରେ ଉକ୍ତ ମହିଳା ସଂଘ ମାନଙ୍କୁ ସାମିଲ ନ କରିବାକୁ ସେତେବେଳେ ଜିଲା ଯୋଗାଣ ଅଧିକାରୀଙ୍କ ନିକଟକୁ ଆସିଥିବା ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା । ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ନକରି ମହିଳା ସଂଘ ଦର୍ଶାଇଥିବା ବାବଦରେ ଚାଷୀଙ୍କୁ ଏମ୍‌ଏସପି ଅର୍ଥ ଦିଆଯାଇଥିଲା କି ନାହିଁ ଏବଂ ମହିଳା ସଂଘକୁ ଏବାବଦରେ କମିଶନ ଦିଆଯାଇଛିକି ନାହିଁ ସେସମ୍ପର୍କରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଜାଣିବାକୁ ଚାହିଁଛି । ଏନେଇ ଜଣାଇବାକୁ ନିଗମର ପରିଚାଳାନା ନିର୍ଦ୍ଦେଶକ ବିଶ୍ୱନାଥ ଦାସଙ୍କଠାରୁ ଏକ ଚିଠି (ନଂ-୮୨୧୬/୧୮-୬-୨୧) ଗଞ୍ଜାମ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନିକଟକୁ ଆସିଛି । ଏଥିସହ ଏସମ୍ପର୍କରେ ଆଉ ଏକ ଚିଠି ଗଞ୍ଜାମ ଜିଲାପାଳଙ୍କ ଅବଗତ ନିମନ୍ତେ ଆସିଥିବା ଜଣାପଡିଛି ।